ରାଜ୍ୟସଭାରେ ଦୁର୍ବଳ ହେଲା ଏନଡିଏ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): 400 ପାର ସହ ପ୍ରଚଣ୍ଡ ବହୁମତ ନାରାରେ ଚଳିତ ସାଧାରଣ ନିର୍ବାଚନ ଲଢିଥିବା ‘ଏନଡିଏ’ ବଡ ଝଟକା ପାଇଥିଲା । ଲୋକସଭାରେ ମେଣ୍ଟର ମୁଖ୍ୟ ଦଳ ବିଜେପି ନିକଟରେ ଏବେ 240 ଆସନ ଓ ସହଯୋଗୀଙ୍କ ସଂଖ୍ୟା ମିଶାଇ 293 ରହିଛି ।  2019 ନିର୍ବାଚନ ବା ସପ୍ତଦଶ ଲୋକସଭାଠାରୁ କମ ଆସନରେ ରହିଛି ମୋଦି 3.0 ସରକାର । ଏବେ ନିମ୍ନସଦନ ପରେ ରାଜ୍ୟସଭାରେ ମଧ୍ୟ ଶାସକ ମେଣ୍ଟର ସଂଖ୍ୟା ହ୍ରାସ ପାଇଛି । ବିଜେପି ସମର୍ଥିତ କିଛି ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସଂଖ୍ୟା 86କୁ ଖସିଛି ।

ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ବହୁମତଠାରୁ 12 ଆସନ ପଛରେ ରହିଛି ଶାସକ ମେଣ୍ଟ ‘ଏନଡିଏ’ । ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭ‌ାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା ୨୨୬ ରହିଛି। ବିଲ୍ ଅନୁମୋଦନ ପାଇଁ ୧୧୪ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବ‌ା ବେଳେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ୧୦୧ ଜଣ ସଭ୍ୟ ଅଛନ୍ତି। ଆବଶ୍ୟକ ଠାରୁ ୧୩ ଜଣ କମ୍ ସଭ୍ୟ ଥିଲେ ମଧ୍ୟ ମୋଦୀ ସରକାରଙ୍କୁ ବିଶେଷ ଅସୁବିଧା ହେବାର ନାହିଁ। କାରଣ ଆହୁରି ୭ ଜଣ ମନୋନୀତ ସଭ୍ୟ ଅଛନ୍ତି, ଯେଉଁମାନେ କି ସରକାରକୁ ସମର୍ଥନ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଜଣେ ସ୍ବାଧୀନ ସଭ୍ୟ ମଧ୍ୟ ଏନ୍‌ଡିଏକୁ ସମର୍ଥନ ଦେଉଛନ୍ତି। ଆଉ ୫ ଜଣଙ୍କ ସମର୍ଥନ ଦରକାର ଥିବ‌ା ବେଳେ ଜଗନ‌ ମୋହନ ରେଡ୍ଡୀଙ୍କ ପାର୍ଟିର ୧୧ ଜଣ ସଭ୍ୟ ମୋଦୀ ସରକାରକୁ ପୂର୍ବଭଳି ସହଯୋଗ କରିବାର ସମ୍ଭାବନା ରହିଛି।

ତେଣୁ ରାଜ୍ୟସଭାରେ‌ ଏବେ କୌଣସି ବିଲ୍ ଆସି‌‌ଲେ, ଏହାକୁ ଅନୁମୋଦନ କରାଇବାରେ ବିଶେଷ ଅସୁବିଧା ହେବାର ନାହିଁ। ତେବେ ରାଜ୍ୟସଭାରେ ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ରହିଛି 87 । ସେମଧ୍ୟରୁ ମୁଖ୍ୟ ବିରୋଧୀ କଂଗ୍ରେସ ନିକଟରେ 26 ଆସନ, ମମତାଙ୍କ ତୃଣମୂଳ କଂଗ୍ରେସ ନିକଟରେ 13 ଆସନ, ଦିଲ୍ଲୀ ଓ ତାମିଲନାଡୁରେ ଶାସନରେ ଥିବା ଆମ ଆଦମୀ ପାର୍ଟି ଓ ଡିଏମକେ ନିକଟରେ 10 ଲେଖାଏଁ ସଦସ୍ୟ ରହିଛନ୍ତି । ଅବଶିଷ୍ଟ ସଦସ୍ୟ ଦୁଇ ମେଣ୍ଟରେ ଅନ୍ତର୍ଭୁକ୍ତ ହୋଇନଥିବା କିଛି ଦଳଙ୍କ ନିକଟରେ ରହିଛି । କେସିଆରଙ୍କ ଭାରତ ରାଷ୍ଟ୍ର ସମିତି, ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଓ କିଛି ସ୍ବାଧୀନ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.