ବିଜେବି କଲେଜରେ ପଶିପାରିବେନି ଅଣଛାତ୍ର, ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେବି କଲେଜରେ ପଶିପାରିବେନି ଅଣଛାତ୍ର, ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ । ନିକଟରେ ଭୁବନେଶ୍ୱର ବିଜେବି କଲେଜରେ ତିନି ଜଣ ଛାତ୍ରଙ୍କୁ ଛୁରା ମାଡ଼ ଘଟଣା ପରେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କଲେଜ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ପଥରେ ପୋଷ୍ଟର ଲଗାଇ ବାହାର ଲୋକଙ୍କୁ କଲେଜ କାମ ନଥିଲେ ପ୍ରବେଶ ନକରିବାକୁ ନିବେଦନ କରିଛନ୍ତି । ଏଥିସହିତ ହଷ୍ଟେଲ ନିକଟରେ ଥିବା ଗେଟରେ ତାଲା ପକାଇ ଦିଆଯାଇଛି । ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଲା ପକାଇ ଦିଆଯାଇଛି । କ୍ୟାମ୍ପସ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ, ସିସିଟିଭି କ୍ୟାମେରା ଖଞ୍ଜାଯିବା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି । କଲେଜର ପ୍ରିନ୍ସିପାଲ ଗୁଲାମ ମୋଇନୁଦ୍ଦିନ ଖାନ୍ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପାଖରେ ପରିଚୟ ପତ୍ର ଓ ୟୁନିଫର୍ମ ଥିଲେ ହିଁ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିବ । ସରକାରୀ କାମରେ କ୍ୟାମ୍ପସକୁ ପ୍ରବେଶ କରୁଥିବା ବାହାର ଲୋକଙ୍କ ନାମ, ମୋବାଇଲ୍ ନମ୍ବର, ଗାଡ଼ି ନମ୍ବର ଟିପି ରଖିବାକୁ କଲେଜ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଣେ ଛାତ୍ର ନୂଆ ନିୟମକୁ ଅନୁମୋଦନ କରି କହିଛନ୍ତି, ଏହି ପଦକ୍ଷେପ କ୍ୟାମ୍ପସକୁ ଏକ ସୁରକ୍ଷିତ ସ୍ଥାନ କରିବ ଅଜଥା କୋଳାହଳ ଉପୁଜିବ ନାହିଁ ।

ସୂଚନାଯୋଗ୍ୟ, ଶନିବାର କଲେଜ ଖେଳ ପଡ଼ିଆରେ କିଛି ଦୁର୍ବୃତ୍ତଙ୍କ ସହ କ୍ରିକେଟ୍ ଖେଳିବାକୁ ନେଇ ବଚସା ବେଳେ ୩ ଜଣ ଛାତ୍ର ଆହତ ହୋଇଥିଲେ । ଏହି ଘଟଣାରେ କମିଶନରେଟ୍ ପୋଲିସ ଆଠ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ସାରିଛି । ମୋଟ୍ ୨୦ ଜଣ ସାମିଲ ଥିଲେ ବୋଲି ସୂଚନା ରହିଛି । ଅନ୍ୟମାନଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ ଜାରି ରଖିଛି । ଅଧିକାଂଶ ସମୟରେ କଲେଜରୁ ପାସ୍ ହୋଇଥିବା ଛାତ୍ର ଓ ସ୍ଥାନୀୟ ଯୁବକ କଲେଜରେ ବଳପୂର୍ବକ ଅନୁପ୍ରବେଶ କରିବା ସହ ଆତଙ୍କ ଖେଳାଉଥିବାର ନଜିର ରହିଛି । ଯାହାର ପରିଣାମ ଶନିବାର ଘଟିଥିବା ଧଟଣା । ସେହିପରି ପୂର୍ବରୁ କଲେଜ କ୍ୟାମ୍ପସ ପରିସରରେ ରାଗିଂ ଅଭିଯୋଗ ଆସିବା ପରେ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ଅନ୍ୟତମ ସୁନାମଧନ୍ୟ କଲେଜ ହେଉଛି ବିଜେବି । କିନ୍ତୁ କିଛି ବର୍ଷ ହେବ ଏହି କଲେଜର ରାଗିଂ, ଛାତ୍ରୀ ଆତ୍ମହତ୍ୟା ଏବଂ ଗଣ୍ଡଗୋଳ ଆଦି ଘଟଣା ପାଇଁ ଚର୍ଚ୍ଚାରେ ରହିଆସୁଛି କଲେଜ ।

Leave A Reply

Your email address will not be published.