ଓଡ଼ିଆ ନ୍ୟୁଜ୍: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଅଖଚକ ବନ୍ଦ । ରାସ୍ତାରେ ଗଡ଼ିବନି ବସ୍, ଟ୍ରକ, ବାଇକ୍, ଅଟୋ କିମ୍ବା ଚାରିଚକିଆ । ସ୍କୁଲ, କଲେଜ ବନ୍ଦ ରଖିବାକୁ ଅପିଲ୍ କରିଛି କଂଗ୍ରେସ । ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ଏଥିରେ ବାମପନ୍ଥୀଙ୍କ ସମେତ ୮ଦଳ ସାମିଲ ହୋଇଛନ୍ତି।
ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ବିଭିନ୍ନ ମହଲ, ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ ପାଉଥିବାରୁ ଓଡ଼ିଶା ବନ୍ଦକୁ ସ୍ବତଃପ୍ରବୃତ୍ତ ସମର୍ଥନ ମିଳିବା ଅନୁମାନ କରାଯାଉଛି। ବିରୋଧୀ ଦଳଗୁଡ଼ିକ ଗୁରୁବାର ଯାନବାହନ ଚଳାଚଳ, ଦୋକାନବଜାର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି। ତେବେ ବନ୍ଦ ପାଳନ ସମୟରେ କେତେକ ସ୍ଥାନରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ନେଇ ପୋଲିସ ସଜାଗ ହୋଇଉଠିଛି।