ଓଡ଼ିଆ ନ୍ୟୁଜ୍: ବିଜେପିର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ‘ଯୁବଶକ୍ତି ସମାବେଶ’ ଅନୁଷ୍ଠିତ ହୋଇଥିଲା। ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସମାବେଶରେ ଛାତ୍ରୀଛାତ୍ରଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ଗଞ୍ଜାମ ମାଟି ପାଇଁ ଆଜି ପବିତ୍ରର ଦିନ। ଗଞ୍ଜାମର ଯୁବଶକ୍ତି ସବୁଠୁ ଆଗରେ। କଳା, ସାହିତ୍ୟ, ସଂସ୍କୃତି ପାଇଁ ଗଞ୍ଜାମର ସ୍ବତନ୍ତ୍ର ପରିଚୟ ରହିଛି।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମର ପ୍ରମୁଖ ଭୂମିକା ଥିଲା। କବି ସମ୍ରାଟ ଉପେନ୍ଦ୍ରଙ୍କ ସ୍ମରଣ ବିନା ଜିଲାରେ କୌଣସି କାର୍ଯ୍ୟ ସଫଳ ହୁଏ ନାହିଁ। ଟ୍ରିପଲ ଇଞ୍ଜିନ ସରକାର ଗଞ୍ଜାମରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଥିବା ଯୋଗୁ ସେ ଆମେରିକା ନ ଯାଇ ଓଡ଼ିଶା ଆସିଥିଲେ। ବିଗତ ସରକାର ପ୍ରାଥମିକ ଶିକ୍ଷାକୁ ଅବହେଳା କରୁଥିଲେ। କିନ୍ତୁ ଆମ ସରକାର ଆସିବା ପରେ ଶିକ୍ଷାର ଉନ୍ନତି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ରାଜ୍ୟରେ ନୂତନ ଶିକ୍ଷାନୀତି ଲାଗୁ ହୋଇଛି। ଓଡ଼ିଶାର ଯୁବପିଢ଼ି ବିଶ୍ୱରେ କିଭଳି ନିଜର ଦକ୍ଷତା ପ୍ରଦର୍ଶନ କରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି।
ରାଜ୍ୟରେ ୩୧୪ଟି ନୂତନ ଷ୍ଟାଡିୟମ ନିର୍ମାଣ ହେବ। ଏଥିପାଇଁ ୪୧୨୪ କୋଟି ଟଙ୍କା ଖର୍ଚ୍ଚ ହେବ। ନୂତନ ସରକାରୀ ନିଯୁକ୍ତି ପ୍ରତି ଗୁରୁତ୍ୱ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଛି ପୂର୍ବତନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସିଧା ଟାର୍ଗେଟ କରିଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗଞ୍ଜାମ ଜିଲାବାସୀ ବିଶ୍ୱାସ ୨୪ ବର୍ଷ ଶାସନ କ୍ଷମତାରେ ବସାଇଲେ। ଜିଲା ଓ ରାଜ୍ୟବାସୀଙ୍କୁ କିଛି ଲାଭ ମିଳିଲା ନାହିଁ। ବରଂ କିଛି ଦକ୍ଷିଣ ଭାରତୀୟ ଆସି ସବୁ ଲୁଟିନେଲେ। ଗଞ୍ଜାମର ଯୁବଶକ୍ତି ସବୁଠୁ ଆଗରେ।