ଓଡ଼ିଆ ନ୍ୟୁଜ୍: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟର ତଥ୍ୟ ମାଗିଲେ ମୁଖ୍ୟ ସଚିବ। ସଚିବସ୍ତରୀୟ ବୈଠକ ନିଷ୍ପତ୍ତିକୁ କେତେ କାର୍ଯ୍ୟକାରୀ କରିଛନ୍ତି ତଥ୍ୟ ମାଗିଲେ। ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ। ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ।ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରୁନଥିଲେ, ଅବସର ଦିଆଯିବ।ଅପାରଗ ବିବେଚିତ କରି ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ।ରାଜ୍ୟର କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ(ବାବୁ) ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତା’ର ଟିକିନିଖି ହିସାବ ରାଜ୍ୟ ସରକାର ଲୋଡ଼ିଛନ୍ତି।
ଏନେଇ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିକଟରେ ସଚିବସ୍ତରୀୟ ବୈଠକରେ ସମସ୍ତ ସଚିବଙ୍କୁ ସୂଚାଇ ଥିବାବେଳେ ଜୁଲାଇ ୩୧ରେ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ(ଓଏସ୍ଡି) କଲ୍ୟାଣ କୁମାର ରଥ ସମସ୍ତ ବିଭାଗର ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ଚଳିତମାସ ୭ତାରିଖ ପୂର୍ବରୁ ସରକାରଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବାକୁ ସେ ଦର୍ଶାଇଛନ୍ତି। ଏହାକୁ ନେଇ ସବୁ ବିଭାଗରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ବିଭାଗରେ କେତେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ସୋମବାର ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକୁ ନେଇ ଅତିରିକ୍ତ ସଚିବ ସମସ୍ତ ଅଧିକାରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି।