ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଣେଷ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲାର ଶୁଣାଣି କରି ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇ ପାରିବ ନାହିଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହିନ୍ଦୁ ଭାବାବେଗକୁ ଆଘାତ ଦେବା ଭଳି ମୂର୍ତ୍ତି ରାଜ୍ୟର କୌଣସି ପୂଜା ମଣ୍ଡପରେ ପୂଜା ହୋଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ। ହିନ୍ଦୁ ଆଇନ ଅନୁଯାୟୀ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ ଓ ଏଭଳି ମୂର୍ତ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ହାଇକୋର୍ଟ ମତ ରଖିଛନ୍ତି। ପୋଲିସ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ସହିତ ଅଗ୍ରୀମ ଦେଇଥିବା କ୍ଲବକୁ ଚିରାଚରିତ ମୂର୍ତ୍ତି ନିର୍ମାଣ କରି ଯୋଗାଇ ଦେବାକୁ ଶିଳ୍ପୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁରିଘାଟ ଥାନା ଅଧିକାରୀ ମୂର୍ତ୍ତି କାରୀଗରଙ୍କୁ ନେଇ ଆଲୋଚନା କରି ପରବର୍ତ୍ତୀ ସମୟରେ ଯେପରି ଏଭଳି କୌଣସି ବିକୃତ ମୂର୍ତ୍ତି ନିର୍ମାଣ ନକରିବେ ସେନେଇ ସେମାନଙ୍କୁ ଉପଦେଶ ଦେବେ ବୋଲି କୋର୍ଟ କହିଛନ୍ତି। ବିକୃତ ମୂର୍ତ୍ତି ନିର୍ମାଣକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ତାଗିଦ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିଲେ ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି। ପୋଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବା ମାମଲାରେ ଦର୍ଶାଇ ଥିଲେ ।ଏପରିକି କିଛି କାରିଗରଙ୍କୁ ଥାନାରେ କିଛି ଘଣ୍ଟା ଅଟକ ରଖାଯାଇ କାରିଗରଙ୍କୁ ଧମକ ଦିଆଯାଇଥିବା ନେଇ ମାମଲାରେ ଉଲେଖ କରିଥିଲେ।

ବିକୃତ ମୂର୍ତ୍ତି ଆଉ ପରବର୍ତ୍ତୀ ସମୟରେ କରିବେ ନାହିଁ ବୋଲି ଏକ ଅଣ୍ଡର ଟେକିଂ ଦେଇ କାରିଗର ମାନଙ୍କୁ ଛାଡିଛି ପୋଲିସ। ତେବେ ପୋଲିସ ଭୟରେ କାରିଗରମାନେ ସାଧା କାଗଜରେ ଦସ୍ତଖତ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏହି ମାମଲାରେ ରାଜ୍ୟ ଗୃହ ସଚିବ,ପୋଲିସ ମହାନିର୍ଦେଶକ, କଟକ ଡିସିପି,ପୁରିଘାଟ ଥାନା ଅଧିକାରୀ ଓ କଟକ ଜିଲ୍ଲାପାଳ ଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।