ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ହକ୍ ପାଇଁ ଭୁବନେଶ୍ୱରର ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା ଦେଇଛନ୍ତି । ହୋମ ଯଜ୍ଞ କରି ପ୍ରତିବାଦ କରିଛନ୍ତି ସଂସ୍କୃତ ଶିକ୍ଷକ । ରାଜ୍ୟରେ ଥିବା ୪୧ଟି ସଂସ୍କୃତ ଟୋଲକୁ ସୁରକ୍ଷା ଓ ଗଣଶିକ୍ଷା ବିଭାଗରେ ସାମିଲ କରିବାକୁ ସଂସ୍କୃତ ଶିକ୍ଷକମାନେ ଦାବି କରିଛନ୍ତି । ସେହିଭଳି ଗୁରୁଦିବସକୁ କଳାଦିବସ ଭାବେ ପାଳିଛନ୍ତି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଶିକ୍ଷକ । ଶିକ୍ଷା ଯାହାର ଧର୍ମ । ଭବିଷ୍ୟତ ଗଢ଼ିବା କର୍ମ । ସେଇ ଶିକ୍ଷକ ଆଜି ସଂଘର୍ଷ କରୁଛି । ହକ୍ ପାଇଁ ପ୍ରତିବାଦ କରୁଛି ।
ଗୁରୁ ଦିବସରେ କିଛି ଶିକ୍ଷକ ଗୁୁରୁ ଆସନରେ ବସି ପୂଜା ପାଉଛନ୍ତିି । ଆଉ କିଛି ଶିକ୍ଷକ ରାଜରାସ୍ତା ଉପରେ ହକର ଲଢ଼େଇ ଲଢ଼ୁଛନ୍ତି । ଭୁବନେଶ୍ୱରର ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା ପଛରେ ରହିଛି କ୍ଷୋଭ । ତାହା ହୋଇନଥିଲେ, ହୋମ ଯଜ୍ଞ କରି ପ୍ରତିବାଦ କରୁନଥାନ୍ତେ ସଂସ୍କୃତ ଶିକ୍ଷକ । ରାଜ୍ୟରେ ଥିବା ୪୧ଟି ସଂସ୍କୃତ ଟୋଲକୁ ସୁରକ୍ଷା ଓ ଗଣଶିକ୍ଷା ବିଭାଗରେ ସାମିଲ କରିବାକୁ ସଂସ୍କୃତ ଶିକ୍ଷକମାନେ ଦାବି କରିଛନ୍ତି । ଜୀବନ ଯାକ, ଶିକ୍ଷାର ଦୀପ ଜାଳି ଆସିଥିବା ଶିକ୍ଷକଙ୍କ ମୁହଁରେ ବନ୍ଧା ହୋଇଛି ପ୍ରତିବାଦର କଳା କପଡ଼ା । ନିଜର ହକ୍ ପାଇଁ ଲଢ଼େଇ କରି, କାହାର-କାହାର ଅବସର ନେବା ସମୟ ଆସିଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇପାରିନି । ଏଭଳି ସ୍ଥିତିରେ ଗୁରୁଦିବସରେ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଶିକ୍ଷକ । ଶିକ୍ଷକଙ୍କ ଅଭିଯୋଗ ହେଉଛି, ହକ୍ ପାଇଁ ଭୁବନେଶ୍ୱର ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି । ହେଲେ ସରକାର ତାଙ୍କ ଦାବିକୁ କର୍ଣ୍ଣପାତ ବି କରୁନାହାଁନ୍ତି ।