ବରଗଡ଼(ଓଡ଼ିଆ ନ୍ୟୁଜ୍): ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେବା ପରେ ବି ପରମ୍ପରା ବଦଳି ନାହାନ୍ତି ପଦ୍ମଶ୍ରୀ ହଳଧର ନାଗ । ପୂର୍ବର ଜୀବନ ଜୀବିକା ସହିତ ଅତୀତକୁ ମନେ ରଖିବା ପାଇଁ ରଥଯାତ୍ରାରେ ରାଗଚଣା ବିକ୍ରୀ କରିଛନ୍ତି ହଳଧର । କେବେଦିନେ ନିଜେ ପ୍ରସ୍ତୁତ କରି ରାଗଚଣା ବା ଘୁଗୁନି ବିକ୍ରୀ କରି ପେଟପାଟଣା କରୁଥିଲେ । ଯାହାକି ପଦ୍ମଶ୍ରୀ ଭଳି ଜାତୀୟ ସମ୍ମାନ ସହ ପ୍ରସିଦ୍ଧି ପାଇଲା ପରେ ବ୍ୟାଘାତ ପାଇଥିଲେବି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିନାହାନ୍ତି । ବରଂ ପିଲାମାନେ ଖୁସି ହେବେ ବୋଲି ଦୁଇଗୁଣ ଉତ୍ସାହ ନେଇ ରଥଯାତ୍ରାରେ ରାଗଚଣା ବିକିଛନ୍ତି । ପଦ୍ମଶ୍ରୀଙ୍କ ହାତରୁ ରାଗଚଣା ଖାଇବା ପାଇଁ ଠୁଳ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଘେଁସ ରଥଯାତ୍ରାକୁ ଭିନ୍ନ ଏକ ପରିଚୟ ଦେଇଛି । ଗଲା ତିନିବର୍ଷ ଧରି କରୋନା ଯୋଗୁଁ ବିଧି ପାଳନରେ ସୀମିତ ରଥଯାତ୍ରା ଏଥର ଭକ୍ତଙ୍କ ଗହଣରେ ପାଳିତ ହେଉଥିବାରୁ ତିନିବର୍ଷ ପରେ କବିରତ୍ନ ପଦ୍ମଶ୍ରୀ ହଳଧର ପୁଣିଥରେ ଆଜି ତାଙ୍କର ରାଗଚଣା ପସରା ଖୋଲିଥିଲେ ।
ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ତାଙ୍କର ଷ୍ଟଲରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ବାଟୋଇ ଓ ପଥଚାରୀମାନେ ଦଣ୍ଡେ ଅଟକି ଚଣାର ସ୍ୱାଦ ନେବାକୁ ଭୁଲିନଥିଲେ । ତାଙ୍କର ଚଳଣୀ ପାଇଁ ଓଡ଼ିଶା ସରକାର ତାଙ୍କୁ ମାସିକ ୧୦ ହଜାର ଟଙ୍କା ଦେଉଥିଲେବି ତାକୁ ନିଜେ ଖର୍ଚ୍ଚ ନକରି ନିଜେ ଖୋଲିଥିବା ବନବିଦ୍ୟାଳୟର ଦଳିତ ଅନାଥ ପିଲାଙ୍କ ପଢ଼ା ଏବଂ ବାଗଦେବୀଙ୍କ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେଉଛି ବୋଲି କହିବା ସହ ବର୍ଷକୁ ଦୁଇଦିନ ରଥଯାତ୍ରା ଓ ବାହୁଡ଼ାରେ ଚଣା ବିକ୍ରି କରିଆସୁଛନ୍ତି ଏବଂ ଅନ୍ତିମ ସମୟ ପର୍ୟ୍ୟନ୍ତ ଏହା ଜାରି ରଖିବେ ବୋଲି କହିଛନ୍ତି ହଳଧର ।