ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍କୁଲ ଶୌଚାଳୟରୁ ଟ୍ୟାପ୍ ଚୋରି କରିଥିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାକିସ୍ତାନ ପୁଲିସ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ବିରୋଧରେ ୧୧ଟି ଏଫ୍ଆଇଆର୍ ରୁଜୁ କରିଛି। ସେଥିମଧ୍ୟରୁ ଗୋଟିଏ ମାମଲା ହେଉଛି ଏକ ସରକାରୀ ସ୍କୁଲର ବାଥରୁମରୁ ଟ୍ୟାପ୍ ଚୋରି କରିବା। ଲାହୋର ହାଇକୋର୍ଟରେ ଜଷ୍ଟିସ୍ ଅନଓ୍ଵାର-ଉଲ୍-ହକ୍ ପନ୍ନୁ ଫଓ୍ବାଦଙ୍କ ବିରୋଧରେ ଆଗତୁ ଏସବୁ ମାମଲା ସମ୍ପର୍କରେ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ପଞ୍ଜାବ ପୁଲିସ ଫୱାଦ ଚୌଧୁରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାର ରିପୋର୍ଟ ଦାଖଲ କରିଛି । ଫଓ୍ବାଦଙ୍କ ବିରୋଧରେ ମୁଲତାନ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ ନଂ ୮୮୯/୨୩ ରୁଜୁ ହୋଇଛି। ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କ ନାମ ମୁଜାଫର ହନିଫ। ସେ ଅଭିଯୋଗ କରିଛନ୍ତି ଯେ ଫଓ୍ବାଦ ଏକ ସ୍କୁଲରୁ ପାଇପ୍ ଓ ଟ୍ୟାପ୍ ଚୋରି କରିଛନ୍ତି । ଫଓ୍ବାଦଙ୍କ ବିରୋଧରେ ଖଇରପୁର ଭଟ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ବିଦ୍ୟୁତ ତାର ଚୋରି କରିଥିବା ଅଭିଯୋଗ ମଧ୍ୟ ହୋଇଛି । କିନ୍ତୁ ଏହି ଚୋରି ଅଭିଯୋଗକୁ ଫଓ୍ବାଦଙ୍କ ଓକିଲ ଖାରଜ କରିଦେଇଛନ୍ତି । ସେ କହିଛନ୍ତି ଯେ ରାଜନୈତିକ ଆକ୍ରୋଶରୁ ଫଓ୍ବାଦଙ୍କ ବିରୋଧରେ ଏପରି ମିଛ ଓ ହାସ୍ୟାସ୍ପଦ ମାମଲା ରୁଜ୍ଜୁ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ଫଓ୍ବାଦଙ୍କ ବିରୋଧରେ ଲାହୋରର ସରୱାର ରୋଡ୍ ଏବଂ ରେସ୍ କୋର୍ସ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ମୁଲତାନ କ୍ୟାଣ୍ଟନମେଣ୍ଟରେ ୩ଟି ଏବଂ ଜଲାଲପୁର ପିରୱାଲାରେ ଗୋଟିଏ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆଟକ୍, ଜେଲମ୍ ଏବଂ ଫୈସଲାବାଦର ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।