ପ୍ରଧାନମନ୍ତ୍ରୀଙ୍କ ୯୩ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ, ସଶକ୍ତ ଓ ଶ୍ରେଷ୍ଠ ଭାରତ” ଗଠନରେ ‘ଏକାତ୍ମମାନବ ଦର୍ଶନ ଏବଂ ଅନ୍ତ୍ୟୋଦୟ’ର ଭୂମିକା ବହୁ ମହତ୍ୱପୂର୍ଣ୍ଣ: ସମୀର ମହାନ୍ତି

0

ଓଡ଼ିଆ ନ୍ୟୁ(ବ୍ୟୁରୋ): ଗତ କିଛି ବର୍ଷ ଭିତରେ ଭାରତବର୍ଷ ଆଜି ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି । ପଣ୍ଡିତ ଦୀନଦୟାଲଜୀଙ୍କ ‘ଏକାତ୍ମମାନବ ଦର୍ଶନ’ ଏବଂ ‘ଅନ୍ତ୍ୟୋଦୟ’ ବିଚାର ଆଧାରରେ  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ସମଗ୍ର ବିଶ୍ୱବାସୀ ଏହାର ସୁଲାଭ ପାଇଛନ୍ତି ଏବଂ ଆଗାମୀ ଦିନରେ ଭାରତବର୍ଷଠାରୁ ଆହୁରି ଅଧିକ ଅପେକ୍ଷା ରଖିଛନ୍ତି । ଭାରତବର୍ଷର ଗରିବଙ୍କୁ ସଶକ୍ତିକରଣ ସରିବା ସହ “ସଶକ୍ତ ଓ ଶ୍ରେଷ୍ଠ ଭାରତ” ଗଠନରେ ‘ଏକାତ୍ମମାନବ ଦର୍ଶନ’ ଏବଂ ‘ଅନ୍ତ୍ୟୋଦୟ’ର ମହତ୍ୱପୂର୍ଣ୍ଣ ଭୁମିକା ପ୍ରମୁଖ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ସମାଜରେ ଅତ୍ୟନ୍ତ ସାଧାରଣ ଜୀବନ ଯାପନ କରୁଥିବା ଲୋକମାନଙ୍କ ଅକୁହା କଥାକୁ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରକାଶ କରିଥାନ୍ତି, ଯାହାକି ଆମ ସମସ୍ତଙ୍କ ଜୀବନଧାରାକୁ ପ୍ରଭାବିତ କରିଥାଏ । ଆଜିର ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ମୋଦିଜୀ ଦେଶରେ ୭୦ ବର୍ଷ ଧରି ଲୋପ ପାଇଥିବା ଚିତା ବାଘକୁ ପୁଣି ଥରେ ଭାରତକୁ ଆଣିବା, ଦିବ୍ୟାଙ୍ଗଙ୍କୁ ସମ୍ମାନ ପ୍ରଦାନ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଭାରତବର୍ଷର ସମ୍ମାନ ବୃଦ୍ଧି ପାଇବା, କରୋନା ସଂକଟ କାରଣରୁ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ଆଦି ପ୍ରସଙ୍ଗ ବାସ୍ତବରେ ଆଜି ଆମ ସମସ୍ତଙ୍କୁ ପ୍ରଭାବିତ କରିଛି । ଜଳବାୟୁ ପରିବର୍ତନ ଏବଂ ଦେଶର ୭୫୦୦ କିଲୋମିଟର ବ୍ୟାପୀ ସାମୁଦ୍ରିକ ବେଳାଭୁମି ଦୁଷିତ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାବ୍ୟକ୍ତ ଆମ ସମସ୍ତଙ୍କ ପାଇଁ ବଡ ଆହ୍ୱାନ । ଆମେ ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କରିବା ସହ ଆଗାମୀ ପାର୍ବଣ ଋତୁରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ପାର୍ଟୀର ପ୍ରତିଷ୍ଠାତା ସାଧାରଣ ସଂପାଦକ ତଥା ମାର୍ଗଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ୧୦୬ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମର ୯୩ତମ ସଂସ୍କରଣକୁ ରେ ଏକାଠି ହୋଇ ଶୁଣିଥିଲେ । ପଣ୍ଡିତ ଦୀନଦୟାଲଜୀଙ୍କ ୧୦୬ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ୍‌’ର ବାର୍ତା ନିଶ୍ଚିତ ଭାବେ ଦେଶର ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନୀତା ଶୁଭଦର୍ଶିନୀ, ବରିଷ୍ଠ ନେତା ସଜ୍ଜନ ଶର୍ମା, ଭୁବନାନନ୍ଦ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁଦର୍ଶନ ନାୟକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଠାକୁର ରଣଜିତ୍ ଦାସ, ସତ୍ୟବ୍ରତ ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାର୍ଟୀର ସାଂସଦ, ବିଧାୟକ, ନିର୍ବାଚନ ଜନପ୍ରତିନିଧି, ଦଳୀୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଦୀନଦୟାଲଜୀ ଜୟନ୍ତୀ ପାଳନ କରିବା ସହିତ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଥିଲେ ।

Leave A Reply

Your email address will not be published.