ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌ ପୂର୍ବରୁ ତାମିଲନାଡୁକୁ ଆଲର୍ଟ କଲା ଗୁଇନ୍ଦା ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌ ପୂର୍ବରୁ ତାମିଲନାଡୁକୁ ଆଲର୍ଟ କଲା ଗୁଇନ୍ଦା ବିଭାଗ । ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଲାଗି ରହିଥିବା ବେଳେ ତାମିଲନାଡୁରେ ହିଂସା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି । ଏନେଇ ଗୁପ୍ତ ସୂଚନା ଦେଲାଣି ଗୁଇନ୍ଦା ବିଭାଗ । ଫିଲ୍ମ ମୁକ୍ତିଲାଭ କଲେ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ବୋଲି ତାମିଲନାଡୁକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ । ମେ ୫ ତାରିଖରେ ‘ଦି କେରଳ ଷ୍ଟୋରୀ’ ଫିଲ୍ମ ରିଲିଜ୍ ହେବ। କେରଳରେ କିଭଳି ହିନ୍ଦୁ ଯୁବତୀମାନଙ୍କର ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍‌ଆଇରେ ଭର୍ତ୍ତି କରିବା ପାଇଁ ସିରିଆ ଓ ଆଫଗାନିସ୍ତାନକୁ ପଠାଯାଉଛି ସେ ନେଇ ଫିଲ୍ମର କାହାଣୀ ଆଧାରିତ । ଏଥିରେ ୩୨ ହଜାର ହିନ୍ଦୁ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି ଇସ୍‌ଲାମିକ୍‌ ଷ୍ଟେଟ୍‌ରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଇଛି । ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଫିଲ୍ମ କଡ଼ା ନିନ୍ଦା କରିବା ସହ ହିଂସା ସୃଷ୍ଟି କରିବାକୁ ଏପରି କରାଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜେପି ଫିଲ୍ମ ସମର୍ଥନରେ ବାହାରିଛି । କେରଳ ମୁଖ୍ୟମନ୍ତ୍ରୀଙ୍କର ସବୁବେଳେ ଦୁମୁହାଁ ନୀତି ରହିଛି। କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରରେ ତାଙ୍କର ବାକ୍‌ ସ୍ୱାଧୀନତା ନୀତିକୁ ବିଜେପି  ସମାଲୋଚନା କରିଛି । ସୁଦୀପ୍ତ ସେନ ‘ଦି କେରଳ ଷ୍ଟୋରୀ’କୁ ନିର୍ଦ୍ଦେଶନା ଦେଇଥିବା ବେଳେ ବିପୁଲ ଅମୃତଲାଲ ଶାହ ଏହାର ପ୍ରଯୋଜନା କରିଛନ୍ତି। ଅଦାହ ଶର୍ମା, ୟୋଗିତା ବିହାନୀ, ସିଦ୍ଧି ଇଦନାନୀ ଓ ସୋନିଆ ବଲାନୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କେରଳର ଶାସକ ଦଳ ସିପିଆଇଏମ୍ ଓ କଂଗ୍ରେସର କହିବା କଥା ହେଲା ଫିଲ୍ମରେ ଦାବି କରାଯାଇଥିବା ତଥ୍ୟରେ କୌଣସି ସତ୍ୟତା ନାହିଁ । ଫିଲ୍ମ ବିବାଦରେ ରହିଲେ ବି କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ(CBFC) ପକ୍ଷରୁ ଏହାକୁ ‘ଏ’ ବର୍ଗରେ ସାର୍ଟିଫିକେଟ୍ ମିଳିଛି। ଅନ୍ୟପଟେ ଫିଲ୍ମର ୧୦ ସିନ୍‌ କୁ କାଟି ଦେଇଛି ସେନ୍ସର ବୋର୍ଡର ।

Leave A Reply

Your email address will not be published.