ଆସନ୍ତା 3 ଘଣ୍ଟା ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା, ୧୦ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଂଚିବ
ଓଡିଆ ନ୍ୟୁଜ୍(ବ୍ୟୁରୋ): ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା 3 ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ।ଆସନ୍ତାକାଲି ସଂଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୦ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ରେ ପହଂଚିବ।ଏହା ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗ ଦେଇ ଗତି କରିବ।ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରାଯାଇନାହିଁ।.ଆଜି ଅବପାତରେ ପରିଣତ ହେବା ପରେ ଅଧିକ ସ୍ପଷ୍ଟ ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏହାର ପ୍ରଭାବରେ 10 ତାରିଖ ଏବଂ 11 ତାରିଖରେ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
10 ତାରିଖରେ ପୁରୀ,ଗଞ୍ଜାମ,ଗଜପତି ରେ ହଲୁକାରୁ ରୁ ମଧ୍ୟମ ବର୍ଷା ହେବା ସହ 11 ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, କଟକ,ଜଗତସିଂହପୁର,ପୁରୀ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ।ଆସନ୍ତାକାଲିଠାରୁ ପବନର ବେଗ ବଢ଼ିବ।୯ ତାରିଖରେ ଘଣ୍ଟା ପ୍ରତି ୬୫-୭୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି।୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ବେଗରେ ପବନ ହୋଇପାରେ ଏପରିକି ଏହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି।
ସେହିପରି ୧୧ ତାରିଖରେ ୭୦ ରୁ ୮୦କିମି ଏବଂ ଝଟକା ପବନ ୯୦ କିମି ହୋଇପାରେ।୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ଓ ୧୦ ତାରିଖରେ ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳକୁ ପ୍ରବେଶ ନେଇ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।ଏଥିସହ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଯଥାଶୀଘ୍ର ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।