କୋଇଲା ସ୍ମଗଲିଂ ମାମଲା; ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଜାମିନ ଯୁକ୍ତ ୱାରେଣ୍ଟ ଜାରି କଲା ପଟିଆଲା କୋର୍ଟ !
କୋଇଲା ସ୍ମଗଲିଂ ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ପଟିଆଲା ହାଉସ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ସୂଚନା ଅନୁଯାୟୀ, ବାରମ୍ବାର ଡକାଇବା ପରେ ହଜାର ନହେବାରୁ ରୁଜିରାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବାସ୍ତବରେ ପଶ୍ଚିମବଙ୍ଗରେ ଏକ କୋଇଲା ଦୁର୍ନୀତିରେ ସମ୍ପୃକ୍ତ ଲଣ୍ଡରିଂ ମାମଲାରେ ତଦନ୍ତରେ ଯୋଗଦେବାକୁ ମନା କରିଦେଇଥିବା ଅଭିଯୋଗରେ ପଟିଆଲା ହାଉସ କୋର୍ଟ ରୁଜିରା ବାନାର୍ଜୀଙ୍କ ବିରୋଧରେ । କୋଇଲା ଦୁର୍ନୀତି ମାମଲାରେ ଇଡି ରୁଜିରାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି। ଇଡି ଅଭିଷେକଙ୍କ ପତ୍ନୀ ରୁଜିରାଙ୍କୁ ଅନେକ ଥର ଡକାଇଛି, କିନ୍ତୁ ବାରମ୍ବାର ଡାକିବା ସତ୍ତ୍ବେ ରୁଜିରା ଥରେ ବି ହାଜର ହୋଇନାହାଁନ୍ତି। ଯେଉଁଥିପାଇଁ ଇଡି ବର୍ତ୍ତମାନ ଏହି ପଦକ୍ଷେପ ନେଇଛି।
ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ଏ ପର୍ଯ୍ୟନ୍ତ ଦୁଇଥର ଜେରା କରାଯାଇଛି। ଏହି ବେଆଇନ ବ୍ୟବସାୟରୁ ମିଳିଥିବା ଅର୍ଥର ଅଭିଷେକ ବାନାର୍ଜୀ ହିତାଧିକାରୀ ବୋଲି ଇଡି ପୂର୍ବରୁ ଦାବି କରିଥିଲା। ତେବେ ଅଭିଷେକ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ସୂଚନା ଥାଉକି, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା। ଏହି ମାମଲାରେ ୨୦୨୦ ନଭେମ୍ବରରେ ସିବିଆଇ ଫାଇଲ୍ କରିଥିବା ଏଫ୍ଆଇଆର୍ ଅନୁସାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଛି। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା।