ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ବିନ୍ଦୁସାଗର ଦେଇ ଯାଇଥିଲେ ଲିଙ୍ଗରାଜ ମନ୍ଦିର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିମାନବନ୍ଦରରେ ତାଙ୍କୁ ବିଦାୟ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ଉପସ୍ଥିତ ଥିଲେ ମୁଖ୍ୟ ସଚିବ, ପୋଲିସ ଡିଜି ଓ ଭୁବନେଶ୍ୱର ମେୟର। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ମହାମହିମ। ଦର୍ଶନ ପୂର୍ବରୁ ଗାଡ଼ିରୁ ଓହ୍ଲାଇ ଖାଲି ପାଦରେ ଚାଲି ଚାଲି ଯାଇ ବିନ୍ଦୁସାଗରରେ ଗୋଡ଼ ଧୋଇଥିଲେ। ତାଙ୍କ ସହ ଥିଲେ ଝିଅ । ବିନ୍ଦୁସାଗର ଦେଇ ଯାଇଥିଲେ ଲିଙ୍ଗରାଜ ମନ୍ଦିର। ରାଷ୍ଟ୍ରପତିଙ୍କୁ ମନ୍ଦିର ନିକଟରେ ସ୍ୱାଗତ କରିଥିଲେ ଲିଙ୍ଗରାଜ ମନ୍ଦିରର ୩ ନିଯୋଗ ସମ୍ପାଦକ। ପ୍ରଥମେ ସିଦ୍ଧି ବିନାୟକଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗର୍ଭଗୃହରେ ମହାପ୍ରଭୁଙ୍କୁ ଜଳାଭିଷେକ ଓ କ୍ଷୀରାଭିଷେକ କରିଥିଲେ। ତାପରେ ମାଆ ପାର୍ବତୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି। ଏହାପରେ ବେଢ଼ା ପରିକ୍ରମା କରିଥିଲେ ମହାମହିମ। ମନ୍ଦିର ବେଢାରେ କିଛି ସମୟ ବସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶେଷରେ ନନ୍ଦିଭୃଙ୍ଗୀଙ୍କୁ ଦର୍ଶନ କରି ବାହାରିଥିଲେ।…

 ଲିଙ୍ଗରାଜ ମନ୍ଦିରରେ ଦର୍ଶନ ସାରି ମନ୍ଦିର ରେଜିଷ୍ଟରରେ ଦସ୍ତଖତ କରିଛନ୍ତି ମହାମହିମ। ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ପ୍ରଭୁଙ୍କ ଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଛନ୍ତି ବୋଲି ଲେଖିଛନ୍ତି । ଦେଶବାସୀଙ୍କ ସୁଖ, ସମୃଦ୍ଧି ତଥା ବିଶ୍ୱ କଲ୍ୟାଣ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଥିବା ଲେଖିଛନ୍ତି ରାଷ୍ଟ୍ରପତି। ମହାମହିମଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ ତାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ଦର୍ଶନ ସାରି ଫେରିବା ବେଳେ ରାଷ୍ଟ୍ରପତି ଛୋଟ ଝିଅ କାବ୍ୟାଙ୍କ ପାଖରୁ ଗୋଲାପ ଫୁଲ ଗ୍ରହଣ କରିଥିଲେ। ପରେ ତାଙ୍କୁ ଚକୋଲେଟ ଦେଇଥିଲେ ମହାମହିମ। ମୟୂରଭଞ୍ଜରୁ ଆସିଥିବା କଳାକାରଙ୍କୁ ମଧ୍ୟ ଭେଟିଥିଲେ ରାଷ୍ଟ୍ରପତି। ସୁରୁଖୁରୁରେ ଦର୍ଶନ ପାଇଁ ସୁରକ୍ଷାର ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଦାୟିତ୍ୱ ଗ୍ରହଣ ପରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଓଡ଼ିଶା ଗସ୍ତ ସାରି ଫେରିଛନ୍ତି। ପ୍ରଥମ ଥର ଗସ୍ତ ବେଳେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ରାଷ୍ଟ୍ରପତି ଦର୍ଶନ କରିବା ବେଳେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।…

Leave A Reply

Your email address will not be published.