ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ ମୁଖ୍ୟ ଦାବିକୁ ପୂରଣ କରିବା ପାଇଁ ମୋଦି ସରକାର ଯଥାସମ୍ଭବ ଦାୟିତ୍ୱ ନେବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଫେବୃୟାରୀ ୧୧- ଅତୀତରେ ଦେଶକୁ ସ୍ୱାଧୀନତା ଦେବାରେ ଗୋଁଣ୍ଡ ସମାଜର ତ୍ୟାଗ ଓ ବଳିଦାନକୁ ଭୁଲା ଯାଇପାରିବ ନାହିଁ । ଏଥିପାଇଁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବା ପାଇଁ ଗୋଁଣ୍ଡ ସମାଜର ବୀର ସଂଗ୍ରାମୀ ଏବଂ ବୀରଙ୍ଗନାଙ୍କ ବୀରଗାଥାକୁ ଏନସିଇଆରଟି ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଗୋଁଣ୍ଡ ସମାଜର ମୁଖ୍ୟ ଦାବିକୁ ପୂରଣ କରିବା ପାଇଁ ମୋଦି ସରକାର ଯଥାସମ୍ଭବ ଦାୟିତ୍ୱ ନେବେ ବୋଲି ଏହି ଅଧିବେଶନରେ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

ଶନିବାର ଝାରସୁଗୁଡାର କଟାପାଲି ଷ୍ଟାଡିୟମ ଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଆହ୍ୱାନ ଅନୁସାରେ ଆମକୁ ଭବିଷ୍ୟତର ଯୋଜନା କରିବା ପାଇଁ ପଡିବ । ଭୁବନେଶ୍ୱରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଗୋଁଣ୍ଡ ସମାଜର ଆଦି, ଅନ୍ତ, ଇତିହାସ ଓ ଭବିଷ୍ୟତ ଯୋଜନାକୁ ନେଇ ବୌଦ୍ଧିକ ସମ୍ମିଳନୀ ଆୟୋଜନ କରିବା ପାଇଁ ଯୋଜନା କରାଯିବ । ଗୋଁଣ୍ଡ ସମାଜର ଥିବା ଅପେକ୍ଷାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଯିବ । ଗଁଣ୍ଡୋ ସମାଜର ଥିବା ମୁଖ୍ୟ ଦାବୀକୁ ପୂରଣ କରିବା ପାଇଁ ଭାରତ ସରକାର ଯଥାସମ୍ଭବ ଦାୟିତ୍ୱ ନେବେ । ଏହାସହ ଗୋଁଣ୍ଡୱାନା ଛକକୁ ବୀର କରୁଣାକର ସିଂହ ନାଏକ ଛକ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଦେଶର ଅମୃତ କାଳରେ ବୀର ସୁରେନ୍ଦ୍ର ସାଏ, ଶହୀଦ କରୁଣାକର ସିଂହ ନାଏକ, ମାଧୋ ସିଂହ, ବିର୍ସା ମୁଣ୍ଡା, ଗୋଁଣ୍ଡ ସମାଜର ରାଣୀ ଦୁର୍ଗାବତୀଙ୍କ ବଳିଦାନ ଚିର ସ୍ମରଣୀୟ । ଜନଜାତି ସମାଜର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଗାଥା ଓ ଅନାଲୋଚିତ କାହାଣୀକୁ ଲୋକଲୋଚନକୁ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳିତ ହେଉଛି । ଅପରପକ୍ଷରେ ଓଡ଼ିଶାର ପଶ୍ଚିମାଞ୍ଚଳର ବୀର ସଂଗ୍ରାମୀ ମାନଙ୍କର ଅବଦାନ, ତ୍ୟାଗ, ବଳିଦାନର ଇତିହାସର ପୁନଃଲିଖନ ପାଇଁ ଯୋଜନା କରିବାକୁ ସମ୍ବଲପୁର ଆଇଆଇଏମ ଓ ଆଇସିଏଚଆରକୁ ଦାୟିତ୍ୱ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାରରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ସବୁ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଉଛି । ମାତୃଭାଷାରେ ଶିକ୍ଷା ଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ଦକ୍ଷତା ବିକଶିତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଗୋଁଣ୍ଡି ଭାଷା, ସାନ୍ତାଳି, ଅଲଚିକି ଭାଷା ସମେତ ଅନ୍ୟାନ୍ୟ ଜନଜାତି ଭାଇ ଭଉଣୀଙ୍କ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ । ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ଏବଂ ଜନଜାତି ବିଭାଗର ମିଳିତ ସହଯୋଗରେ ବିଭିନ୍ନ ଜନଜାତି ସମ୍ପ୍ରଦାୟର ଅତି କମରେ ଏକ ହଜାର ଯୁବବର୍ଗଙ୍କୁ ଉତ୍ତମ ତାଲିମ ଦେଇ ଉଦ୍ୟମୀ କରାଯିବ ।

ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ କରିଛନ୍ତି, ଯାହା ଭାରତବର୍ଷର ପ୍ରତ୍ୟେକ ନାଗରିକ, ମହିଳା, ଓଡ଼ିଆ ସମାଜ, ଜନଜାତି, ଗରିବ ଓ ନିଷ୍ପେସିତ ଲୋକ ମାନଙ୍କ ପାଇଁ ଗୌରବର ବିଷୟ । ଅନୁରୂପ ଭାବେ ଚଳିତବର୍ଷ କେନ୍ଦ୍ର ବଜେଟରେ ଜନଜାତି ସମାଜକୁ ଗୁରୁତ୍ୱ ଦିଆଯାଇଛି । ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦେବା ଦିଗରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ହୋଇଛି । ଦେଶରେ ସବୁଠୁ ଅଧିକ ୧୦୪ଟି ଏକଲବ୍ୟ ବିଦ୍ୟାଳୟ ଓଡ଼ିଶାରେ ତିଆରି ହେଉଛି । ଏହାସହ ୨୦୨୩-୨୪ କେନ୍ଦ୍ର ବଜେଟରେ ଏକଲବ୍ୟ ମଡେଲ୍ ସ୍କୁଲ୍‌ରେ ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀଙ୍କୁ ନିଯୁକ୍ତି ଘୋଷଣା ହୋଇଛି । ବିଗତ ୯ ବର୍ଷରେ ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ମୋଦି ସରକାରଙ୍କ ବଡ ଉପଲବ୍ଧି । ଦେଶରେ ଜାତୀୟ ଜନଜାତି ଗବେଷଣା କେନ୍ଦ୍ର ସ୍ଥାପନା ହୋଇଛି । ଏହା ମୋଦି ସରକାରଙ୍କ ଜନଜାତି ଭାଇ ଭଉଣୀଙ୍କ ପ୍ରତି ପ୍ରତିବଦ୍ଧତା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଏହି ଅବସରରେ ଶ୍ରୀ ପ୍ରଧାନ ଗୋଁଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ଦର୍ଶନ କରି ତାଙ୍କ ଆଶୀର୍ବାଦ ନେବା ସହ ଜଗତର କଲ୍ୟାଣ ପାଇଁ କାମନା କରିଥିଲେ ।

Leave A Reply

Your email address will not be published.