ୱାୟନାଡ଼ରେ ‘ସତ୍ୟମେବ ଜୟତେ’ରେ ଦମ ଦେଖାଇଲେ ରାହୁଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଦସ୍ୟ ପଦ ରଦ୍ଦ କରିଦିଆଯିବା ପରେ ବି ୱାୟନାଡ଼ରେ ଦମ ଦେଖାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ସଦସ୍ୟ ପଦ ରଦ୍ଦ କରିଦିଆଗଲେ ମଧ୍ୟ ଯେଉଁ ନିର୍ବାଚନମଣ୍ଡଳୀରେ ସେ ପ୍ରତିନିଧିତ୍ୱ କରୁଥିଲେ ସେଠି ତାଙ୍କ ଲୋକପ୍ରିୟତା କେତେ ସେ କଥା ଦେଖାଇଛନ୍ତି ରାହୁଲ। ଏପରିକି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ୱାୟନାଡ଼ରୁ ସେ ହୁଙ୍କାର ଦେଇଛନ୍ତି। ସତ୍ୟମେବ ଜୟତେ ନାମରେ ୱାୟନାଡ଼ରେ ବିଶାଳ ରୋଡଶୋ କରିଛନ୍ତି ରାହୁଲ। ସଦସ୍ୟ ପଦ ରଦ୍ଦ ପରେ ରାହୁଲ ପ୍ରଥମଥର ପାଇଁ ନିଜ ପୂର୍ବ ନିର୍ବାଚନ ମଣ୍ଡଳୀ ୱାୟନାଡ଼ରେ ଭଉଣୀ ପ୍ରିୟଙ୍କାଙ୍କ ସହ ରୋଡ଼ଶୋ କରିଛନ୍ତି। ଏହି ଶୋଭାଯାତ୍ରାରେ ଉଦବୋଧନ ଦେଇ ରାହୁଲ ବିଜେପି ଉପରେ ବର୍ଷିଛନ୍ତି। ସଂସଦର ସଦସ୍ୟ ପଦ ଏକ ଟ୍ୟାଗ ବା ପଦ। ବିଜେପି ଏହି ପଦ ନେଇଯାଇପାରେ, ଘର ନେଇଯାଇପାରେ, ଜେଲରେ ପୁରେଇଦେଇପାରନ୍ତି କିନ୍ତୁ ୱାୟନାଡ଼ବାସୀଙ୍କୁ ପ୍ରତିନିଧିତ୍ୱ କରିବାରୁ କେହି ବଂଚିତ କରିପାରିବେନି ବୋଲି ରାହୁଲ ଲୋକଙ୍କୁ କହିଛନ୍ତି।

ରାହୁଲଙ୍କ ଏ ସବୁ କଥା ୱାୟନାଡ଼ବାସୀଙ୍କୁ ଛୁଇଁଥିବା କୁହାଯାଉଥିବାବେଳେ ସାରା ଦେଶବାସୀଙ୍କ ପାଖକୁ ବାର୍ତା ଯାଇଥିବା ଆଲୋଚନା ହେଉଛି। କେନ୍ଦ୍ରୀୟ ସଂସ୍ଥାଗୁଡିକୁ ଲଗାଇ ବିରୋଧୀଙ୍କ ସ୍ୱର ଚାପିବାକୁ ବିଜେପି ଲଗାତର ଉଦ୍ୟମ କରୁଥିବା ଅଭିଯୋଗ ହେଉଥିବା ବେଳେ ରାହୁଲ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ। ଯାହାକି ଦେଶବ୍ୟାପି ଏକ ବାତାବରଣ ତିଆରି କରିଥିଲେ। ଠିକ ଏହା ପରେ ପରେ ଆଦାନି ପ୍ରସଙ୍ଗକୁ ନେଇ ମୋଦି ଓ ବିଜେପିକୁ ଘେରୁଥିବା ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଠିକ ପରେ ପରେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ରାହୁଲଙ୍କ ପକ୍ଷରେ ଦେଶବ୍ୟାପୀ ଏକ ବଡ଼ ମାହୋଲ ତିଆରି କରିଛି। ଏପରିକି ବିଚାରଗତ, ନୀତିଗତ ଭାବେ କଂଗ୍ରେସକୁ ପସନ୍ଦ କରୁ ନ ଥିବା ସାଧାରଣ ଲୋକ, ରାଜନୈତିକ ଦଳ ଓ ନେତାମାନେ ରାହୁଲଙ୍କ ସମର୍ଥନରେ ବାହାରିଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ରାହୁଲଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଠିକ ଏଭଳି ସମୟରେ ୱାୟନାଡ଼ରେ ରାହୁଲଙ୍କ ସତ୍ୟମେବ ଜୟତେ ଦେଶବ୍ୟାପୀ ଚର୍ଚ୍ଚାର କାରଣ ସାଜିଛି। ଏବେ କର୍ଣ୍ଣାଟକ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଖୁବ ଶୀଘ୍ର ଅନ୍ୟ ପ୍ରମୁଖ ରାଜ୍ୟଗୁଡିକରେ ନିର୍ବାଚନ ହେବ। ଏଥିସହିତ ଦେଶର ସାଧାରଣ ନିର୍ବାଚନ ମଧ୍ୟ ଆଉ ବେଶିଦୁର ନୁହେଁ। ଏଭଳି ସମୟରେ ରାହୁଲଙ୍କ ସତ୍ୟମେବ ଜୟତେ କାର୍ଡ ରାହୁଲ ଓ କଂଗ୍ରେସ ପାଇଁ ରାଜନୈତିକ କ୍ଷେତ୍ରରେ ଅନେକ ଲାଭଦାୟୀ ହେବ ବୋଲି କୁହାଯାଉଛି।

ମଙ୍ଗଳବାର ୱାୟନାଡ଼ ଶୋରେ ଇମୋସନାଲ କାର୍ଡ ଖେଳିଛନ ରାହୁଲଙ୍କ ଭଉଣୀ  ପ୍ରିୟଙ୍କା । ସେ କହିଥିଲେ ଯେ, ମୋ ଭାଇ ରାହୁଲଙ୍କ ଘରେ ଯେତେବେଳେ ମୁଁ ଆସବାବପତ୍ର ପ୍ୟାକ୍ କରୁଥିଲି, ଭାବୁଥିଲି ଯେ କିଛି ବର୍ଷ ପୂର୍ବେ ମୋ ପିଲା ଏବଂ ସ୍ୱାମୀ ମୋତେ ମୋ ଘର ବଦଳାଇବାରେ ସାହାଯ୍ୟ କରିଥିଲେ, କିନ୍ତୁ ମୋ ଭାଇକୁ ସାହାଯ୍ୟ କରିବାକୁ ତାଙ୍କ ପରିବାର ନାହିଁ । ପ୍ରିୟଙ୍କା ଜନସଭାରେ ଜୋର ଦେଇ କହିଛନ୍ତି ଯେ, ମୋ ଭାଇ ଦୁନିଆର ସବୁଠାରୁ ସଚ୍ଚୋଟ ବ୍ୟକ୍ତି, ଯିଏ ଖୁଲମଖୁଲା କହିଥାଏ ଓ କାହାକୁ ଡ଼ରିନଥାଏ । ୱାୟାନାଡରେ ଲୋକଙ୍କୁ ପ୍ରିୟଙ୍କା କହିଛନ୍ତି ଯେ,’ଆପଣ ଜାଣିଛନ୍ତି ଯେ, ସେ(ରାହୁଲ) ସବୁଠାରୁ ସଚ୍ଚୋଟ ବ୍ୟକ୍ତି । ସେ କାହାକୁ ଡରନ୍ତି ନାହିଁ ଶାସନରେ ବସିଥିବା ଶକ୍ତିମାନେ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସିଏ ସେମିତି ଅତୁଟ ହୋଇ ରହିଛି । ସେ ଆପଣଙ୍କ ସଂଘର୍ଷକୁ ବୁଝିଛି, ଆପଣଙ୍କ ପାଇଁ କାମ କରିଛନ୍ତି, ଆପଣଙ୍କ ସହ ଠିଆ ହୋଇଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ଯେତେବେଳେ ରାହୁଲଙ୍କ ସାଂସଦ ପଦ ଚାଲିଗଲା, ସେ ୱାୟାନାଡକୁ ନିଜ ଆସବାବପତ୍ର ପ୍ୟାକିଂ କରିବାକୁ ଆସିଥିଲେ । ମୁଁ ମୋ ଭାଇର ଜିନିଷପତ୍ର ପ୍ୟାକିଂ କଲି । ମୋ ପାଖରେ ତ ସାହାଯ୍ୟ ପାଇଁ ମୋ ସ୍ୱାମୀ, ପିଲାମାନେ ଥିଲେ । ସେ ଏକୁଟିଆ ବସିଥିଲେ । ଉଲ୍ଲେଖ ଥାଉ କି ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧି ଗତ ମାସରେ ୱାୟାନାଡର ସାଂସଦ ଭାବରେ ଅଯୋଗ୍ୟ ହୋଇଥିଲେ। ଏହା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ସେ ତାଙ୍କ ସରକାରୀ ବାସଭବନ ଖାଲି କରି ତାଙ୍କ ମା ସୋନିଆ ଗାନ୍ଧିଙ୍କ ବାସଭବନକୁ ଚାଲିଯାଇଛନ୍ତି ।

Leave A Reply

Your email address will not be published.