ରାଜ୍ୟରେ ବର୍ଷା ଜାରୀ, 3 ଜିଲ୍ଲାରେ ସ୍କୁଲ ଛୁଟି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ ।  ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବିଶେଷ କରି ଆଜି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଭୀଷଣ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଅରେଞ୍ଜ ଏବଂ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍‌ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଗଞ୍ଜାମ ଓ ମାଲକାନଗିରିରେ ବି ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ୩ ଘଣ୍ଟା ପାଇଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୬ ଜଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ କରାଯାଇଛି। ସେ ସବୁ ଜିଲା ଗୁଡ଼ିକ ହେଲା ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା।

ଅନ୍ୟପକ୍ଷେ ଲଘୁଚାପ ଯୋଗୁ ଗତ ଦୁଇତିନି ଦିନ ହେବ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ କୋରାପୁଟ ଓ ମାଲକାନଗିରିର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ। ସୋମବାର ସମ୍ଭାବ୍ୟ ବନ୍ୟା ସ୍ଥିତି ସମୀକ୍ଷା ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ଦେଓରଞ୍ଜନ କୁମାର ସିଂ ଏହି ସୂଚନା ଦେଇଛନ୍ତି।

Comments are closed.