ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚରେ ଥାଆନ୍ତି ରାମ ଗୋପାଳ ବର୍ମା । ଏବେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ପୁଣି ଏକ ବିବାଦୀୟ ବୟାନ୍ ଦେଇ ଫସିଯାଇଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ବୟାନ୍ ଦେଇଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ଥାନାରେ ଏବେ ଏତଲା ଦାୟର କରାଯାଇଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବୁଧବାର ରାମ ଗୋପାଳ ବର୍ମା ଏକ ଟ୍ୱିଟ କରିଥିଲେ। ଯାହାକୁ ନେଇ ବିବାଦ ଦେଖା ଦେଖାଦେଇଛି। ତେବେ ଆସନ୍ତୁ ଜାଣିବା ସେ କ’ଣ ଟୁଇଟ କରି କହିଥିଲେ ।
If DRAUPADI is the PRESIDENT who are the PANDAVAS ? And more importantly, who are the KAURAVAS?
— Ram Gopal Varma (@RGVzoomin) June 22, 2022
ହାଇଦ୍ରାବାଦ ପୋଲିସ ଶୁକ୍ରବାର କହିଛି, ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଖୁବଶୀଘ୍ର ଏକ ଅପରାଧିକ ମାମଲା ରୁଜୁ କରାଯିବ । ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରି କହିଥିଲେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ? ତାଙ୍କର ଏପରି ଟ୍ୱିଟ୍ ପରେ ସମସ୍ତେ ତାଙ୍କୁ ସମାଲୋଚନା କରିଛନ୍ତି।ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରାଯାଇଛି ।
ତେଲେଙ୍ଗାନା ବିଜେପିର ବରିଷ୍ଠ ନେତା ଜୀ ନାରାୟଣ ରେଡ୍ଡୀ ପୋଲିସ ଥାନାରେ ରାମଗୋପାଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ରାମ ଗୋପାଳ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଛନ୍ତି। ଜଣେ ମହିଳା ନେତ୍ରୀ ତଥା ପୂର୍ବତନ ରାଜ୍ୟପାଳଙ୍କୁ ନେଇ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ବୋଲି ତେଲେଙ୍ଗାନା ବିଜେପି ପକ୍ଷରୁ କୁହାଯାଇଛି।