୫ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ ସ୍ବାଇଁ ଓ ତାଙ୍କ ମ୍ୟାନେଜର ବିଶ୍ଵରଂଜନ ଦାସ। ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। ଦୁଇ ଜଣଙ୍କୁ ମୁହାଁମୁହିଁ ଜେରା କରିବାକୁ ପୁଲିସ ଯୋଜନା କରିଥିବା ସୂଚନା ରହିଛି। ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ଅନେକ ରହସ୍ୟର ଗୁମର ଫିଟିବ ବୋଲି ଆଶା କରାଯାଉଛି। ରିମାଣ୍ଡ ଅବଧି ଭିତରେ ଏକାଧିକ ପତ୍ନୀ, ଜାଲ ଡକ୍ୟୁମେଣ୍ଟ ଓ ଅର୍ଥ ହଡ଼ପ ନେଇ ଯାଞ୍ଚ କରିବ ପୁଲିସ।
ସୂଚନାଯୋଗ୍ୟ, ପୂର୍ବରୁ ଅଭିଯୋଗ କରିଥିବା କେତେଜଣ ମହିଳା ବିଶ୍ବରଂଜନ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ତା’ର ସମ୍ପୃକ୍ତି ଜାଣିବା ପରେ ପୁଲିସ ତାକୁ ଗିରଫ କରିବା ପାଇଁ ତତ୍ପର ହୋଇଉଠିଥିଲା। ଶନିବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍ କଟକସ୍ଥିତ ତା’ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।
ଏଣେ ରମେଶ ନାଁରେ ଯୋଡ଼ି ହେବ ଆଉ ଏକ ମାମଲା। ୧୮ ପତ୍ନୀଙ୍କ ମଧ୍ୟରୁ ଆଉ ଜଣେ ଧୂର୍ତ୍ତ ରମେଶ ନାଁରେ ଅଭିଯୋଗ କରିବାକୁ ମହିଳା ଥାନା ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି। ତେଣୁ ଦିଲ୍ଲୀ ଶିକ୍ଷୟିତ୍ରୀ, ଆସାମ ଡାକ୍ତରାଣୀ ଓ ପଞ୍ଜାବ ଅଧ୍ୟାପିକା ସ୍ତ୍ରୀଙ୍କ ପରେ ଏ ମହିଳା ଜଣକ କେଉଁ ବର୍ଗର, ତାହାକୁ ନେଇ ଉତ୍କଣ୍ଠା ସୃଷ୍ଟି ହୋଇଛି।