ଭୁବନେଶ୍ୱରରେ ଲଗାଣ ବର୍ଷାରେ ବିଜୁଳି ମାରି ରାମେଶ୍ୱର ମନ୍ଦିରର ଦଧିନଉତି ଖସିପଡିଲା,ଶଦ୍ଧାଳୁ ହେଲେ ଆତଙ୍କିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ରାଜଧାନୀ ଭୁବନେଶ୍ୱରରେ ସକାଳୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଭିତରେ ବଜ୍ରାଘାତ ହୋଇ ମାଉସୀମା ଛକରେ ଥିବା ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ମନ୍ଦିରର ଦଧିନଉତି ମନ୍ଦିର ତଳକୁ ପଡିଯାଇଛି। ଶ୍ରାବଣ ମାସ ହୋଇଥିବାରୁ ଅନେକ ଶ୍ରଦ୍ଧାଳୁ ରୁଦ୍ରାଭିଷେକ ନିମନ୍ତେ ମନ୍ଦିର ଭିତରେ ଉପସ୍ଥିତ ଥିଲେ। ଲଗାଣ ବର୍ଷାର ବିଜୁଳି ଘଡଘଡି ମଧ୍ୟରେ ପ୍ରଚଣ୍ଡ ଶବ୍ଦ ସହ, ଏହା ଭୂମିରେ ପଡିଯାଇଥିଲା । ଏହାର ଝଟକା ଏତେ ଜୋର ଥିଲା ଯେ ଏହି ମନ୍ଦିର ନିକଟରେ ଥିବା ଶ୍ରୀ ଲକ୍ଷ୍ମଣେଶ୍ୱର , ଶ୍ରୀ ଭରତେଶ୍ୱର ,ଶ୍ରୀ ଶତ୍ରୁଘ୍ନେଶ୍ୱର ଶ୍ରୀ ଲବକେଶ୍ୱର ଏବଂ ଶ୍ରୀ କୁଶକେଶ୍ୱର ମନ୍ଦିର ତଥା ଆଖପାଖ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।

ପ୍ରକାଶ ଥାଉକି, ତ୍ରୟୋଦଶ ଶତାବ୍ଦୀ ରେ ନିର୍ମିତ ଏହି ମନ୍ଦିରକୁ ଏକାମ୍ର କ୍ଷେତ୍ରର ଅଧିଶ୍ୱର ଶ୍ରୀଲିଙ୍ଗରାଜ ମହାପ୍ରଭୁ  ପବିତ୍ର ଅଶୋକାଷ୍ଟମୀ ଅର୍ଥାତ ରୁକୁଣା ରଥଯାତ୍ରା ସମୟରେ ଅବସ୍ଥାନ କରିଥାନ୍ତି। ବର୍ତ୍ତମାନ ( ଏ. ଏସ. ଆଇ ) ପକ୍ଷରୁ ମନ୍ଦିର ର ମରାମତି କାର୍ଯ୍ୟ ଚାଲୁଥିବାରୁ, ଏହି ଘଟଣା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ମନ୍ଦିରର ଆର୍ଥିଙ୍ଗ ନ ଥିବାରୁ, ଏତେ ବଡ ଅଘଟଣ ଘଟିଗଲା। ଅପରାହ୍ନରେ ଏ. ଏସ. ଆଇ ର କର୍ମଚାରୀ ମାନେ ମନ୍ଦିର ଚୁଡା କୁ ଚଢିବା ସହିତ ଏଠାରେ ଏବଂ ବେଢା ଚାରିପଟେ ପଡ଼ିଥିବା ଦଧିନଉତି ର ଭଗ୍ନାବଶେଷକୁ ସଂଗ୍ରହ କରିଥିଲେ। ଭବିଷ୍ୟତରେ ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରରେ ଥିବା,ମନ୍ଦିର ଗୁଡିକୁ କିପରି, ଏହିପରି ପ୍ରାକୃତିକ ବିପର୍ଯୟରୁ ରକ୍ଷା କରାଯାଇପାରିବ। ସେ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରାଯିବା ଆବଶ୍ୟକ ବୋଲି ସର୍ବସାଧାରଣରେ ମତପ୍ରକାଶ ପାଇଛି।

Leave A Reply

Your email address will not be published.