ବିଷାକ୍ତ ମଦ ମୃତ୍ୟୁ ମାମଲାରେ ହେବ ଆରଡିସି ତଦନ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଚିକିଟି ଠାରେ ହୋଇଥିବା ମଦ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବେଆଇନ ମଦ କାରବାର ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ ।  ୨ ମାସ ଭିତରେ ଏହାର ତଦନ୍ତ ରିପୋର୍ଟ ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଜାରି ଚଢାଉ ରହିଛି ।

ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ । ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ାଉ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟବ୍ୟାପୀ ବର୍ତ୍ତମାନ ସୁଦ୍ଧା ୧୧୭ ଜଣ ଗିରଫ ହେଲେଣି । ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ଏହା ସହ ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଚିକିତ୍ସିତ ହେଉଥିବା ସମସ୍ତଙ୍କ ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି । ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ନିକଟରେ ଗଞ୍ଜାମ ଜିଲ୍ଲା ଚିକିଟି ଠାରେ ହୋଇଥିବା ମଦ ଘଟଣା ନେଇ ମନ୍ତ୍ରୀ ହରିଚନ୍ଦନ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅବକାରୀ କମିଶନର ନରସିଂହ ଭୋଳଙ୍କ ସହ ଆଲୋଚନା କରିବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ ।

Comments are closed.