ବିଜୟୀ ଭାରତୀୟ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବୀନ ନିବାସରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ପହଞ୍ଚିଛନ୍ତି। ଏହି ଅବସରରେ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ଏହି ସାକ୍ଷାତକୁ ନବୀନ ତାଙ୍କ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସରେ ଶେୟାର କରିଛନ୍ତି। ନବୀନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିବା ପରେ ବିଜେତା ଭାରତୀୟ ହକି ଦଳକୁ ଭେଟି ବହୁତ ଖୁସି ମିଳିଛି। ହକି କେବଳ ଏକ ଖେଳ ନୁହେଁ।

ଏହା ଓଡ଼ିଶାର ଏକ ଜୀବନଶୈଳୀ। ଏହି ସୁନ୍ଦର ଖେଳ ସହିତ ଆମେ ସବୁବେଳେ ଏକ ସ୍ବତନ୍ତ୍ର ବନ୍ଧନ ବାଣ୍ଟିଛୁ। ଦଳ ନିଜର ବିଜୟର ଗତି ଜାରି ରଖୁ ଏବଂ ଦେଶ ତଥା ରାଜ୍ୟ ପାଇଁ ଅଧିକ ଗୌରବ ଆଣୁ ବୋଲି ନବୀନ କହିଛନ୍ତି।  ତେବେ ସୂଚନା ମୁତାବକ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି ଅଲିମ୍ପିକ ବିଜୟୀ ଭାରତୀୟ ହକି ଖେଳାଳି। ସେ ଖେଳାଳିମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକିରେ ସୁନା ପଦକ ଆଶା ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖେଳାଳି ମାନଙ୍କୁ ଉପାୟନ ଓ ରୁପା ତାରକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଖେଳାଳି ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ତେବେ ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସିନଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ ଏବଂ ଓଡିଶା ଭାରତୀୟ ହକି ଦଳର ସ୍ପୋନସରସିପ୍ ଦାୟିତ୍ୱ ନେଇଥିଲା।

Leave A Reply

Your email address will not be published.