ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୁମ୍ବିଂ ଚାଲିଥିବା ବେଳେ ଠାବ ହେଲା ଲ୍ୟାଣ୍ଡ ମାଇନ ଓ ବିସ୍ଫୋରକ ସାମଗ୍ରୀ। କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୁଲିସ ଇନ୍ଫର୍ମର୍ ଦର୍ଶାଇ ନିର୍ମମ ହତ୍ୟା କରିବା ପରେ ପୁଲିସ ବାହିନୀ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି।
ଆଜି କୋଟଗଡ଼ ଥାନା ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମ ସନ୍ନିକଟ ଲାସେରି ସଂରକ୍ଷିତ ଜଙ୍ଗଲରେ ସିଆର୍ପିଏଫ୍, ଏସ୍ଓଜି ଏବଂ ଡିଭିଏଫ୍ ଯବାନମାନେ ମିଳିତ କମ୍ବିଂ ଅପରେସନ୍ ଚଳାଇଥିବା ବେଳେ ଲ୍ୟାଣ୍ଡ୍ମାଇନ୍ ଏବଂ ଟିଫିନ୍ ବୋମା ଠାବ ହୋଇଛି। ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ତେବେ ଯବାନମାନେ ଏସ୍ଓପି ପାଳନ କରି ଅତ୍ୟନ୍ତ ସନ୍ତର୍ପଣରେ ସର୍ଚ୍ଚ ଅପରେସନ୍ କରୁଥିବା ସମୟରେ ଏସବୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି।
ଆଉ ତୁରନ୍ତ ସୁରକ୍ଷା କର୍ମୀ ଲ୍ୟାଣ୍ଡ ମାଇନ ସହ ବିପୁଳ ବିସ୍ଫୋରକ ସାମଗ୍ରୀକୁ ଜବତ କରିଥିଲେ। ସେହି ଅଞ୍ଚଳରେ ଏବେ ବି କୁଂବି ଜାରି ରହିଥିବା ଜଣାପଡ଼ିଛି। ସୋମବାର ମାଓବାଦୀ ସେହି ଥାନା ଅଞ୍ଚଳର ବାଡ଼ିପଙ୍ଗା ଗାଁର ମେଟଲା ରଇତ ନାମକ ଜଣେ ଯୁବକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ଭାବେ ହତ୍ୟା କରିଥିଲେ। ଆଉ ଆଜି ସୁରକ୍ଷା କର୍ମୀ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ କୁଂବି ଚାଲିଥିବା ବେଳେ ଲ୍ୟାଣ୍ଡ ମାଇନ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।