ଆଜି ଚକଡେରା ଅନୁକୂଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ। ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକ ଚକ ସହ ତିନୋଟି ଅଖ ଡେରାଯିବ। ଏଥିପାଇଁ ବିଶ୍ୱକର୍ମା ମହାରଣାମାନେ ୬ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରି ରଖିଛନ୍ତି। ଆଜି କାମ ଶେଷ ସୁଦ୍ଧା ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଗତକାଲି ଭୋଇସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ତିନିଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତାଗାଡ଼ଠାରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରି ଅଖବିନ୍ଧ ପାଇଁ ରଥଚାଳିକୁ ଯୋଗାଇ ଦେଇଥିଲେ। ଆଜି ସିଙ୍ଗଡ଼ା ବାଡ଼ିଆ ସରିଥିବା ତୁମ୍ବଗୁଡିକରେ ବିନ୍ଧ କାରିଗରଙ୍କ ଦ୍ୱାରା ଅଖବିନ୍ଧ ହୋଇଛି। ବର୍ତ୍ତମାନ ସୁଦ୍ଧା ତିନି ରଥର ମୋଟ୍ ୪୨ଟି ଚକରୁ ୨୦ଟି ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୬ଟି ଲେଖାଏଁ ଯୋକା ଓ ଦେବୀ ରଥର ୧୨ଟି ଯୋକା ନିର୍ମାଣ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହି ଯୋକା ସବୁ ରଥ କୋଣରେ ସ୍ଥାପନ ହେବା ପରେ ଚାରିପଟେ ଠେକାର ବାଡ ବୁଲିବ।  ସେପଟେ ଆଜି ନରେନ୍ଦ୍ର ପୁଷ୍କରଣୀରେ ଭଉଁରୀ ତିଥି ପାଳନ କରାଯିବ। ୨୧ ଘେରା ଚାପ ଖେଳିବେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ପଞ୍ଚୁପାଣ୍ଡବ ଓ ରାମକୃଷ୍ଣ। ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.