ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟକୁ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଫେରିଛି। ବାତ୍ୟା ସ୍ଥଳଭାଗ ଛୁଇଁବାର ଗୋଟିଏ ଦିନ ପରେ ପଶ୍ଚିମରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ, ଆଜି ସବୁଠି ପ୍ରଚଣ୍ଡ ଗରମ ଅନୁଭୂତ ହୋଇଛି। ଆହୁରି ତିନି ଦିନ ତାତିରୁ ନାହିଁ ତ୍ରାହି । ୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ। ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୪୫.୯ ଡିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ଏବଂ ଦେଶର ୯ମ ଉତ୍ତପ୍ତ ସହର ପାଲଟିଛି।
ସୋନପୁରରେ ୪୫.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୫, ଝାରସୁଗୁଡ଼ାରେ ୪୪.୮, ସମ୍ବଲପୁରରେ ୪୪.୬, ବଲାଙ୍ଗୀରରେ ୪୪.୫, ଭବାନୀପାଟଣାରେ ୪୪, ହୀରାକୁଦରେ ୪୩.୬, ଫୁଲବାଣୀରେ ୪୩.୩, ନୂଆପଡ଼ାରେ ୪୩, ତାଳଚେର ଓ ବରଗଡ଼ରେ ୪୨.୨, ମାଲକାନଗିରି ଓ ସୁନ୍ଦରଗଡ଼ରେ ୪୧.୬, ପାରଳାଖେମୁଣ୍ଡିରେ ୪୧.୫, ଅନୁଗୁଳରେ ୪୧.୧ ଓ ନୟାଗଡ଼ରେ ୪୦.୩ ଡିଗ୍ରି ରେକର୍ଡ ହୋଇଛି। ସେପଟେ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହୋଇଛି। ଗତକାଲି ଭୁବନେଶ୍ବର ସହରରେ ୧୮ ଘଣ୍ଟା ୪୫ ମିନିଟ୍ ଧରି ଆର୍ଦ୍ରତା ୮୦%ରୁ ଅଧିକ ରହିଥିଲା। ବାକି ୫ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଆର୍ଦ୍ରତା ୬୪%ରୁ ୭୯% ଥିଲା, ଯାହାକି ସ୍ବାଭାବିକଠାରୁ ବହୁତ ଅଧିକ। ଆଜି ସକାଳଠାରୁ ହିଁ ଗୁଳୁଗୁଳି ଅନୁଭୂତ ହୋଇଛି।
ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୨.୬ ଡିଗ୍ରି ରହିଥିବା ବେଳେ ଆର୍ଦ୍ରତା ୮୩% ରହିଥିଲା। ଦିନ ୧୧ଟା ୩୦ ସୁଦ୍ଧା ସହରର ତାପମାତ୍ରା ୩୭.୭ ଡିଗ୍ରି ଓ ଆର୍ଦ୍ରତା ୬୬% ଥିଲା। ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା । କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଫଳରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବା ସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଅଧିକ ଗରମ ଅନୁଭୂତ ହେଉଛି । ୭ଟି ଅଞ୍ଚଳରେ ୪୪ଡିଗ୍ରୀ ଉପରେ ରହିଛି ତାପମାତ୍ରା ଏବଂ ମୋଟ୍ ୧୭ଟି ସ୍ଥାନରେ ୪୦ଡିଗ୍ରୀ ଉପରେ ରହିଛି ତାତି ।