ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠନାଥ ପ୍ରଧାନଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି । ରାଜଭବନରୁ ଲୋକସେବା ଭବନକୁ ବୈକୁଣ୍ଠଙ୍କ ବଦଳି କରାଯାଇଛି । ରାଜ୍ୟପାଳ ପୁଅଙ୍କ ନାଁରେ ମାଡ ଅଭିଯୋଗ ଆଣିଥିବା ASO ବୈକୁଣ୍ଠ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି କେ ସିଂ । ଏନେଇ ଗୃହ ବିଭାଗ ଉପ ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ରହିଛି ।
ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ରାଜଭବନ ସଚିବଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଘଟଣା ସମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଏହା ରାଜନୈତିକ ମୋଡ଼ ନେଇଥିବାବେଳେ ASOଙ୍କୁ ନ୍ୟାୟ ପାଇଁ ବିରୋଧୀ ମଧ୍ୟ ଦାବି କରିଥିଲେ । କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ ଉଦ୍ୟମ ସହ ରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ସୂଚନା ମୁତାବକ, ଶ୍ରୀ ପ୍ରଧାନ ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ବିରୁଦ୍ଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଥିଲେ । ଏପରିକି ପୁରୀ ସମୁଦ୍ରକୂଳ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଏତଲା ରୁଜୁ ହୋଇଥିଲା । ପରେ ସଚିବାଳୟ ସେବା ସଂଘର ସହଯୋଗରେ ଏହି ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କୁ ସପତ୍ନୀକ ଭେଟି ନିଜର ଅଭିଯୋଗ ଜଣାଇଥିଲେ ।
ସରକାର ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟପାଳ ଶ୍ରୀ ଦାସ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ଶ୍ରୀ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ୭ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଏସଓ ଶ୍ରୀ ପ୍ରଧାନଙ୍କ ପତ୍ନୀ ସାୟୋଜୀ କୁମାରୀ ପ୍ରଧାନ କହଥିଲେ ଯେ, ଆମେ ଧେର୍ଯ୍ୟର ସହ ଅପେକ୍ଷା କରିଛୁ, ଆମକୁ ନ୍ୟାୟ ଦେବା ପାଇଁ ରାଜ୍ୟପାଳ କ’ଣ ପଦକ୍ଷେପ ନେଉଛନ୍ତି । ତା’ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ।