ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି। ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି। ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ।। ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ଶ୍ରୀଜିଉ। ତା’ପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ।

ତିନିରଥ ଆଜି ସିଂହଦ୍ବାରରେ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ସଂପନ୍ନ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ବାହୁଡ଼ାଯାତ୍ରା ପାଇଁ ଗତକାଲି କୋଠ ସୁଆଁସିଆମାନେ ଚାରବନ୍ଧା କାମ ‌ଶେଷ କରିବା ପରେ ରାତିରେ ବାହୁଟକଣ୍ଟ, କୁସୁମଲାଗି ପାଇଁ ଦଇତାପତିମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ସେନାପଟା ଲାଗି ପରେ ଆଜି ସକାଳ ୭ଟା ୫୫ରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଶ୍ରୀଜିଉଙ୍କୁ ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ଲାଗି ପରେ ମଙ୍ଗଳାର୍ପଣ ହୋଇ ପୂର୍ବାହ୍ଣ ୧୦ଟା ୪୫ରେ ଚତୁର୍ଦ୍ଧାବିଗ୍ରହଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ‌ଶେଷ ହେବା ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀବିଗ୍ରହ ରଥରେ ବିଜେ ପୂର୍ବକ ମଧ୍ୟାହ୍ନ ୧୨ଟା ୫୫ରେ ପହଣ୍ଡି ଶେଷ ପରେ ଅପରାହ୍ଣ ୧ଟା ୫୦ରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥ ଉପରକୁ ବିଜେ କରିଥିଲେ।

ବେଶ ‌ଶେଷ ହୋଇ ୨ଟା ୧୦ରେ ଛେରାପହଁରା ଆରମ୍ଭ ହୋଇଥିଲା। ଗଜପତି ମହାରାଜ ଶ୍ରୀନଅରରୁ ସ୍ବତନ୍ତ୍ର ମେହେଣାରେ ରଥ ନିକଟରେ ପହଞ୍ଚିବା ପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଆଳତି ସମର୍ପଣ ସହ ଚାମର ଓ ଆଲଟ ସେବା କରିଥିଲେ। ପରେ ଛେରାପହଁରା କରିଥିଲେ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।  ମହାପ୍ରଭୁଙ୍କ କରୁଣାରୁ ରଥ ଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହେଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ସେବାୟତ ମାନେ ସହଯୋଗ କରିଥିବାରୁ ଏବଂରଥ ଉପରେ ମୋବାଇଲ ଫୋନ୍ କେହି ବ୍ୟବହାର କରି ନଥିବାରୁ ସେ ସେବାୟତମାନଙ୍କୁ ଧନ୍ୟବାଦଦେଇଛନ୍ତି। ଏଥିସହ ବାରଣ ସତ୍ତ୍ୱେ ରଥ ଉପରେ ଚଢ଼ିଥିବା ଅଣସେବାୟତଙ୍କ ବିରୋଧରେକାର୍ଯ୍ୟନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି। ସୁନାବେଶରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ।

Leave A Reply

Your email address will not be published.