ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଆଗକୁ ରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ସେନେଇ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଗଲାଣି । ଏନଡିଏ ସରକାର କିମ୍ବା ବିରୋଧୀ ମେଣ୍ଟ, କେହି ବି ନିଜ ନିଜ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ପାବର୍ତ୍ତୀ ରାଷ୍ଟ୍ରପତି ହେବାନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଦକ୍ଷିଣ ଭାରତରେ ନିଜର ଭୋଟ ବ୍ୟାଙ୍କ ବଢାଇବାକୁ ବିଜେପି ଜଣେ ଦକ୍ଷିଣ ଭାରତୀୟ ଚେହେରା ଭାବରେ ଭେଙ୍କେୟା ନାଇଡୁଙ୍କୁ ଆଗକୁ ଆଣିବାକୁ ଚାହୁଁଛି । କାରଣ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସମର୍ଥନ ହାସଲ କରିବାରେ ଏହା ବିଜେପିକୁ ସହାୟକ ହୋଇପାରେ ।
ଉପରାଷ୍ଟ୍ରପତି ଭାବେ ରାଜ୍ୟସଭା ପରିଚାଳନା କଲାବେଳେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିଛନ୍ତି । ଜଣେ ବିଚକ୍ଷଣ ରାଜନେତା ଭାବରେ ଦଳମତ ନିର୍ବିଶେଷରେ ତାଙ୍କର ଆଦୃତି ରହିଛି । ବିଜେଡି ସମେତ ଅନେକ ଆଞ୍ଚଳିକ ଦଳ ସହ ଭେଙ୍କେୟା ନାଇଡୁଙ୍କ ସୁସଂପର୍କ ରହିଆସିଛି । ତେଣୁ ବିଜେପି ତାଙ୍କୁ ପ୍ରାର୍ଥୀ କରି ବେଶ୍ ଲାଭରେ ରହିବାକୁ ଚାହୁଁଛି ।