ନାକ୍‌ ଗ୍ରେଡ୍‌ ପାଇଁ ଦୌଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବର୍ଷ ପରେ ବର୍ଷ ବିତୁଛି। ମାତ୍ର ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଟେସନ କାଉନସିଲ୍‌(ନାକ୍‌) ଗ୍ରେଡ୍‌ ହାସଲ କରିପାରୁ ନାହାନ୍ତି ରାଜ୍ୟର ସ୍ବୟଂଶାସିତ ମହାବିଦ୍ୟାଳୟ। ବିଜେବି ପରି ରାଜ୍ୟର ପ୍ରମୁଖ ମହାବିଦ୍ୟାଳୟର ନାକ୍‌ ଗ୍ରେଡ୍‌ ନ ଥିବାରୁ ସ୍ବୟଂଶାସିତ ମାନ୍ୟତା ହରାଇଛି। ବିଜେବି ପରି ରାଜ୍ୟର ଦୁଇ ଡଜନ ସ୍ବୟଂଶାସିତ ମହାବିଦ୍ୟାଳୟ ଅବସ୍ଥା ଏପରି। ନାକ୍‌ ତଥ୍ୟ ଅନୁଯାୟୀ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶାରେ ୧୨୦୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି। ସେଥିମଧ୍ୟରୁ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ସଂଖ୍ୟା ୮୫୦ରୁ ଅଧିକ ହୋଇଥିଲେ ମଧ୍ୟ ବହୁ ଅଳ୍ପ ସଂଖ୍ୟକ ଶିକ୍ଷାନୁଷ୍ଠାନ ନାକ୍‌ ଗ୍ରେଡ୍‌ ପାଇଛନ୍ତି। ସେହି ତୁଳନାରେ ଘରୋଇ ଓ ଡିମ୍‌ଡ ବିଶ୍ବବିଦ୍ୟାଳୟ, ଘରୋଇ କଲେଜଗୁଡ଼ିକ ନାକ୍‌ ଗ୍ରେଡ୍‌ରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ‘ଏ’ କିମ୍ବା ତଦୁର୍ଦ୍ଧ ଗ୍ରେଡ୍‌ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଗୋଟିଏ ଶିକ୍ଷାନୁଷ୍ଠାନ ‘ଏ++’ ମାନ୍ୟତା ହାସଲ କରିଛି। ଆଜି ସୁଦ୍ଧା‌ ଓଡ଼ିଶାର ୩୧୦ଟି ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ପାଇଥିବା ଜଣାପଡ଼ିଛି।

ଆଶ୍ବସ୍ତିକର ବିଷୟ ହେଉଛି ଯେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ନାକ୍‌ ମାନ୍ୟତା ହାସଲ କରିଛନ୍ତି। ଏବେ ଏବେ ଉତ୍କଳ ସମେତ ରେଭେନ୍ସା, ସମ୍ବଲପୁର, ଫକୀର ମୋହନ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍‌ଏସ୍‌ସିବି) ବିଶ୍ବବିଦ୍ୟାଳୟ ନାକ୍‌ ମାନ୍ୟତା ପାଇସାରିଛନ୍ତି। ରେଭେନ୍ସାକୁ ‘ଏ++’ ଗ୍ରେଡ୍‌ ମିଳିଥିବା ବେଳେ ଉତ୍କଳକୁ ‘ଏ+’, ସମ୍ବଲପୁର, ଫକୀର ମୋହନ, ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟକୁ ‘ଏ’, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ‘ବି+’ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ‘ବି’ ଗ୍ରେଡ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଏବେ ନାକ୍‌ ଗ୍ରେଡ୍‌ ମାନ୍ୟତା ଦୌଡ଼ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଯୋଗ୍ୟ ଅଛନ୍ତି। ତେଣୁ ଏହି ଦୁଇ ଶିକ୍ଷାନୁଷ୍ଠାନ ଏସ୍‌ଏସ୍‌ଆର ପ୍ରସ୍ତୁତ କରିବା ସହ ଆବେଦନ ପ୍ରକ୍ରିୟାରେ ରହିଛନ୍ତି। ୨୦୨୪ ପ୍ରଥମାର୍ଦ୍ଧରେ ନାକ୍‌ ଟିମ୍‌ ବିଶ୍ବବିଦ୍ୟାଳୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବାକି ୫ଟି ବିଶ୍ବବିଦ୍ୟାଳୟ ନୂଆ କରି ପ୍ରତିଷ୍ଠା ହୋଇଥିବାରୁ ଆବେଦନ ପାଇଁ ଯୋଗ୍ୟତା ନ ଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ବହୁ ସରକାରୀ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇ ନ ଥିବାରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ(ଓଆରଏଚ୍‌ଇସି) ପକ୍ଷରୁ ମେଣ୍ଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ପରିଷଦ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ୯୩ଟି ସ୍ବୟଂଶାସିତ ମହାବିଦ୍ୟାଳୟ, ସରକାରୀ ଡିଗ୍ରି କଲେଜ ଓ ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନଗୁଡ଼ିକୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇ ନାକ୍‌ ଆବେଦନ ପାଇଁ ପ୍ରସ୍ତୁତ କରାଯାଉଛି। ଏହି ବ୍ୟବସ୍ଥାରେ ବିଶେଷଜ୍ଞ ଓ ଅବସରପ୍ରାପ୍ତ ପ୍ରଫେସରମାନେ ସାମିଲ ହୋଇ ଶିକ୍ଷାନୁଷ୍ଠାନଗୁଡ଼ିକ କିଭଳି ଭାବେ ସେଲ୍ଫ ଷ୍ଟଡି ରିପୋର୍ଟ(ଏସ୍‌ଏସ୍‌ଆର) ପ୍ରସ୍ତୁତ କରି ଆବେଦନ କରିବେ ସେନେଇ ପରାମର୍ଶ ଦେଉଛନ୍ତି।

Leave A Reply

Your email address will not be published.