ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରାଯିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଯେଉଁଥି ପାଇଁ ଏଣିକି ଅଲିମ୍ପିକ୍ସ ପ୍ରଶିକ୍ଷଣ ନେବେ ସ୍କୁଲ ପିଲା । ଚୀନ ଓ ଜାପାନ ପରି ଅଲମ୍ପିକ୍ସ ବିଜେତା ସୃଷ୍ଟି କରିବା ପାଇଁ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲମ୍ପିକ୍ସ ଉପରେ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୦୨୪ ପ୍ୟାରିସ ଅଲମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସାରା ଦେଶରେ ଓଡ଼ିଶା ସରକାର ଏପରି ପଦକ୍ଷେପ ନେବାରେ ପ୍ରଥମ ହୋଇଛନ୍ତି । ତୃଣମୂଳ ସ୍ତରରୁ ସ୍କୁଲ ପିଲାଙ୍କୁ ଅଲମ୍ପିକ୍ସ ବାବଦରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ଯୋଜନା ଆରମ୍ଭ କରିଛନ୍ତି।
ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ୟ୍ୟକ୍ରମ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଶୁଭାରମ୍ଭ କରିବେ । ଭୁବନେଶ୍ବର ମହାନଗର ନିଗମର ୬୩ ଓ ରାଉରକେଲା ମହାନଗର ନିଗମରେ ୨୭ଟି ସ୍କୁଲରେ ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ୟ୍ୟକ୍ରମ ଆରମ୍ଭ ହେବ । ପ୍ରାଥମିକ ପର୍ୟ୍ୟାୟରେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ସ୍କୁଲଗୁଡ଼ିକୁ ମନୋନୀତ କରାଯାଇଛି ।