ଓଡ଼ିଆ ନ୍ୟୁଜ୍: ଡାଇରିଆ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସ୍କୁଲ୍ ଛୁଟି।ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ସ୍କୁଲ୍ ଆସି ପରିମଳ ବ୍ୟବସ୍ଥା ପରଖିବେ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲାପାଳ ପି.ଅନ୍ବେଷା ରେଡ୍ଡୀ।ଜିଲାରେ ହଇଜା ଓ ଡାଇରିଆ ସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ କହିଛନ୍ତି।ସୂଚନାଥାଉକି, ଯାଜପୁର ଜିଲାରେ ହଇଜା(କଲେରା) ବ୍ୟାପିବାରେ ଲାଗିଛି।
ବୁଧବାର ଆଉ ୧୬ ନମୁନାରେ ହଇଜା (ଭିବ୍ରିଓ କଲେରା) ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ଦଳ ପକ୍ଷରୁ ସୂଚନା ମିଳିଛି। ମୋଟ ୪୯ ନମୁନା ଯାଞ୍ଚ ହୋଇଥିବାବେଳେ ସେଥିରୁ ୩୩% ହଇଜା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ୧୧ଜଣ ହଇଜାରେ ଆକ୍ରାନ୍ତ ହୋଇଥିଲେ। ବୁଧବାର ରିପୋର୍ଟକୁ ମିଶାଇ ହଇଜା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୭ ହୋଇଛି। ଅନ୍ୟପକ୍ଷେ ହଇଜା ଓ ଡାଇରିଆ ବ୍ୟାପିବାର ଧାରାରେ ପରିବର୍ତ୍ତନ ଆସିଛି। ପୂର୍ବରୁ ବୟସ୍କ ଲୋକମାନେ ହଇଜା ଓ ଡାଇରିଆରେ ଆକ୍ରାନ୍ତ ହେଉଥିବା ବେଳେ ଗତ ୨ ଦିନ ହେଲା ଶିଶୁ ଓ କିଶୋରମାନେ ଏଥିରେ ସଂକ୍ରମିତ ହେଉଛନ୍ତି।