ଅବୁଜା: ଚର୍ଚ୍ଚରେ ପ୍ରାର୍ଥନା ବେଳେ ଶ୍ରଦ୍ଧାଳୁଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ । ଫଳରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ନାଇଜେରିଆର ଦକ୍ଷିପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ କ୍ୟାଥୋଲିକ ଚର୍ଚ୍ଚରେ । ସୂଚନାଅନୁଯାୟୀ, ରବିବାର ଶତାଧିକ ଲୋକ ଚର୍ଚ୍ଚ ଭିତରେ ଓ ବାହାରେ ଏକତ୍ରୀତ ହୋଇଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିସହ ସେମାନେ ବିସ୍ଫୋରଣ ମଧ୍ୟ କରିଛନ୍ତି। ଏହି ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାମାନେ ବି ରହିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀମାନେ ତୁରନ୍ତ ଚର୍ଚ୍ଚ ନିକଟରେ ପହଞ୍ଚିଥିଲା ବେଳକୁ ବନ୍ଧୁକଧାରୀମାନେ ସେଠାରୁ ଖସି ପଳାଇଥିଲେ । ତେବେ ଆହତ ମାନଙ୍କୁ ଦୁଇଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।