ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋଟେପଟେ ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ବିଜେପି ବିଧାୟକ ନୀତିଶ ରାଣେଙ୍କ ଏକ ବୟାନ ପୁନର୍ବାର ମହାରାଷ୍ଟ୍ର ରାଜନୀତିକୁ ସରଗରମ କରି ଦେଇଛି । ରାଣେ କହିଛନ୍ତି ଉଦ୍ଧବ ଠାକରେଙ୍କୁ ହଟେଇ ପୁତ୍ର ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର ରଚିଥିଲେ । ମହାବିକାଶ ଅଘାଡି କ୍ଷମତାରେ ଥିବା ବେଳେ ଉଦ୍ଧବ ଅସୁସ୍ଥ ହୋଇ ପଡିଥିଲେ । ସେ ସମୟରେ ତାଙ୍କ ବେକ ଏବଂ ପିଠିରେ ଅସ୍ତ୍ରୋପଚାର ହୋଇଥିଲା । ଆଦିତ୍ୟ ଏହାର ଫାଇଦା ଉଠାଇ ଉପରୋକ୍ତ ଷଡଯନ୍ତ୍ର ରଚିଥିଲେ ବୋଲି ରାଣେ କହିଛନ୍ତି । ଯଶଲୋକ ଡାକ୍ତରଖାନାର ଯେଉଁ ରୁମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ତାର ସିସିଟିଭି ଫୁଟେଜ ମୋ ପାଖେ ଅଛି । ତେବେ ଏନସିପି ଓ କଂଗ୍ରେସର ତୀବ୍ର ବିରୋଧ ଯୋଗୁ ତାଙ୍କ ଉଦ୍ୟମ ବିଫଳ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଉଦ୍ଧବ ଅସୁସ୍ଥ ଥିବା ବେଳେ ଆଦିତ୍ୟ ତାଙ୍କ ବନ୍ଧୁମାନଙ୍କ ସହ ଡାଭୋସରେ ମଉଜ ମଜଲିସ କରୁଥିଲେ । ସଞ୍ଜୟ ରାଉତ ସର୍ବଦା ଅନ୍ୟମାନଙ୍କ ଉପରେ ବୟାନ ଦେଉଛନ୍ତି । ଆଦିତ୍ୟଙ୍କ ସମ୍ପର୍କରେ ଯେଉଁ ସବୁ ତଥ୍ୟ ମୁଁ ଦେଲି ତାହା ସତ କିଛି ମିଛ ସେ ପ୍ରମାଣିତ କରନ୍ତୁ । ଅପରପକ୍ଷରେ ଉଦ୍ଧବ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଆମ ଦଳର ନେତାମାନେ ତାଙ୍କ ମନ୍ତବ୍ୟକୁ କେବେ ହେଲେ ଗୁରୁତ୍ୱ ଦିଅନ୍ତି ନାହିଁ ।
ଏପଟେ ମହାରାଷ୍ଟ୍ରରେ ଭାବି ମୁଖ୍ୟମନ୍ତ୍ରୀ ଲେଖାଥିବା ଏନସିପି ନେତା ଅଜିତ ପାୱାରଙ୍କ ପୋଷ୍ଟର ଲାଗିଲାଣି । କେତେବେଳେ ମହାରାଷ୍ଟ୍ର ରାଜନୀତି କେଉଁ ମୋଡ ନେତା ତାହା କହିବା ମୁସ୍କିଲ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏନେଇ ଚିତ୍ର ସ୍ପଷ୍ଟ ହୋଇଯିବ । କିନ୍ତୁ ଏହା ଭିତରେ ସିନ୍ଦେ ଗୋଷ୍ଠୀରୁ କିଛି ବିଧାୟକ ପୁଣିଥରେ ଉଦ୍ଧବ ଗୋଷ୍ଠୀକୁ ଫେରିବାକୁ ଚାହୁଁଛନ୍ତି । ଅଥାର୍ତ ପୁରୁଣା ଘରକୁ ପୁଣିଥରେ ଫେରିବାକୁ ସିନ୍ଦେ ଗୋଷ୍ଠୀର କିଛି ନେତା ଚାହୁଁଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏନସିପି ନେତା ଅଜିତ ପାୱାର କିଛି ବିଧାୟକଙ୍କ ସହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସିନ୍ଦେ ଗୋଷ୍ଠୀ ଅସନ୍ତୁଷ୍ଟ ରହିଛି । ଏପରିକି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ କହିଛନ୍ତି, ଅଜିତ ପାୱାର ବିଜେପିରେ ସାମିଲ ହେବେ କି ନାହିଁ ତାହା ବିଜେପି ସ୍ଥିର କରିବ । କିନ୍ତୁ ଯଦି ଏପରି ହୁଏ ତେବେ ସିନ୍ଦେ ଗୋଷ୍ଠୀ ଆଦୌ ଅଜିତ ପାୱାରଙ୍କ ସହ ଗଠବନ୍ଧନରେ ସାମିଲ ହେବନି ବୋଲି ସ୍ପଷ୍ଟ କରିଛନ୍ତି । ଏଭଳି ରାଜନୈତିକ ସମୀକରଣ ଭିତରେ ସିନ୍ଦେ ଗୋଷ୍ଠୀର କିଛି ବିଧାୟକ ପୁଣିଥରେ ନିଜ ରାଜନୈତିକ ଭବିଷ୍ୟତ ପାଇଁ ପୁଣିଥରେ ପୁରୁଣା ଘରକୁ ଫେରିବାକୁ ଚାହୁଁଥିବା କୁହାଯାଉଛି ।
ପ୍ରଶ୍ନ ଉଠୁଛି ବିଦ୍ରୋହ କରି ଦଳ ଛାଡିଥିବା ନେତାଙ୍କୁ ଉଦ୍ଧବ ଗୋଷ୍ଠୀ ଗ୍ରହଣ କରିବ ତ? ଉଦ୍ଧବ ଗୋଷ୍ଠୀର ନେତାଙ୍କ କହିବା ଅନୁଯାୟୀ, ରାଜନୀତିରେ କେହି କାହାର ସ୍ଥାୟୀ ଶତ୍ରୁ କିମ୍ବା ବନ୍ଧୁ ନୁହନ୍ତି । ଏବେ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ବହୁତ ତିକ୍ତ । ଉଭୟ ଦଳର ନେତା କେହି କାହା ମୁହଁକୁ ମଧ୍ୟ ଚାହିଁବାକୁ ଚାହୁଁନାହାନ୍ତି । ଏଭଳି ସ୍ଥଳେ ବିଦ୍ରୋହ କରିଥିବା ନେତାଙ୍କୁ ଉଦ୍ଧବ ଗ୍ରହଣ କରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ଏବେ ପର୍ଯ୍ୟନ୍ତ ସିନ୍ଦେ ଗୋଷ୍ଠୀର କୌଣସି ନେତାଙ୍କ ସହ ଆଲୋଚନା ହୋଇନାହିଁ । କିନ୍ତୁ ସିନ୍ଦେଙ୍କ ହାତ ଛାଡିବାକୁ ଚାହୁଁଥିବା ବିଧାୟକ କେଉଁ ଆଧାରରେ ଫେରିବାକୁ ଚାହୁଁଛନ୍ତି ତାହା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ।