ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦକ୍ଷିଣ କୋରିଆରେ ବଡ଼ ଅଘଟଣ । ସୈତାନ ଉତ୍ସବରେ ଦଳାଚକଟା । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ସନ୍ଧ୍ୟାରେ ‘ସୈତାନ ଉତ୍ସବ’ ଚାଲିଥିବା ସମୟରେ ଦଳାଚକଟା ଘଟି ୧୨୦ ଲୋକଙ୍କ ମୃତ୍ୟୁ ହୋଇଛି। ୧୫୦ରୁ ଊର୍ଦ୍ଧ୍ବ ମଧ୍ୟ ଆହତ ହୋଇଥିବା ଖବର ମିଳିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଛି। ତେଣୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ସିଓଲ ୟୋଙ୍ଗସାନର ଦମକଳ ବାହିନୀ ମୁଖ୍ୟ ଚୋଇ ସିଓଙ୍ଗ-ବିଓମ କହିଛନ୍ତି ଯେ ଇଟାୱନ ଲେସର ଜିଲ୍ଲାର ଏକ ସଂକୀର୍ଣ୍ଣ ଗଳି ଦେଇ ଅନେକ ଲୋକ ଯିବାରୁ ଦଳାଚକଟା ହୋଇଥିଲା।
ଏଥିଯୋଗୁଁ ଅନେକ ଲୋକ ଅଣନିଶ୍ବାସୀ ହୋଇ ଯାଇଥିଲେ। ଏହି ସମୟରେ ହୃଦଘାତର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସିପିଆର ଦିଆଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏକ ବାର୍କୁ ଜଣେ ପ୍ରସିଦ୍ଧ ସେଲିବ୍ରିଟି ଆସିଥିବା ଖବର ଶୁଣିବା ପରେ ଲୋକେ ତାଙ୍କୁ ଦେଖିବା ପାଇଁ ଦୌଡିବାରୁ ଏହି ଅଘଟଣ ଘଟିଥିଲା। ଉଦ୍ଧାରକାର୍ୟ୍ୟରେ ୪୦୦ ଲୋକ ଏବଂ ୧୪୦ ଗାଡ଼ି ସାମିଲ ହୋଇଛି। ସାରା ଦେଶରୁ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଛି। ରାଜଧାନୀରେ ଥିବା ସମସ୍ତ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ କଡ଼ା ନଜର ରଖିଛି । ଏହି ଅଘଟଣ କେମିତି ହେଲା ଓ କାହିଁକି ହେଲା, ତାହାର ତଦନ୍ ଚଳାଇଛି ।