ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ; ୨୨ ରୁ ବିଧାନସଭା ମୌସୁମୀ ଅଧିବେଶନ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ । ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ସେଥିପାଇଁ ୧୮ରେ ନାମାଙ୍କନ ଦାଖଲ ହେବ । ବାଚସ୍ପତି ଦୌଡରେ ଦେବୀ ମିଶ୍ର, ପ୍ରଫୁଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ବିଜେଡି ବାଚସ୍ପତି କରିବ ତାକୁ ନେଇ ଏବେ ସ୍ପଷ୍ଟ ହୋଇ ପାରିନାହିଁ । ଏହି ଅଧିବେଶନ ଆସନ୍ତା ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ମନ୍ତ୍ରୀ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଖାଲିପଡ଼ିଥିଲା ବାଚସ୍ପତି ପଦ। କିଏ ବାଚସ୍ପତି ହେବ ଓ କେବେ ନିର୍ବାଚନ ହେବ ତାକୁ ନେଇ ଜାରି ରହିଥିଲା କଳ୍ପନାଜଳ୍ପନା। ଏଥିରେ ଆଜି ଅନ୍ତ ଘଟିଛି।

ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ଏହି ବିଭାଗ ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାରା ମନ୍ତ୍ରୀ ଅଛନ୍ତି। ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ୟ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ। ସେହିପରି ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ବିଧାନସଭା ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଅଧିବେଶନ ଚାଲିବ ବୋଲି ସୂଚନା ଦିଆଯାଇଛି। ଏହାସହ ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି।

ନିର୍ବାଚନ ଆଗକୁ ରହିଥିବାରୁ ଅତିରିକ୍ତ ବଜେଟରେ ବିଜେଡି ବଡ଼ ଘୋଷଣା କରିପାରେ ବୋଲି କୁହାଯାଉଛି । ଏହି ଅଧିବେଶନରେ ବିଜେଡି ଏବଂ ବିଜେପିକୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । ବିଜେଡି-ବିଜେପି ଏକ ବୋଲି ପ୍ରମାଣିତ କରାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତେବେ ବଜେଟ ଆସଲେ ଆଗୁଆ ନିର୍ବାଚନ ହେବ କି ନାହିଁ ସେନେଇ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ସେପଟେ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେପି କହିଛି ।

Leave A Reply

Your email address will not be published.