ଦୁଇଦିନିଆ ଗୁଜୁରାଟ ଗସ୍ତରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଷ୍ଟ୍ରୀୟ କ୍ରୀଡ଼ା କର୍ମଶାଳାରେ ଓଡ଼ିଶା ପକ୍ଷରୁ କରିବେ ପ୍ରତିନିଧିତ୍ବ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଦୁଇଦିନିଆ ଗୁଜୁରାଟ ଗସ୍ତରେ କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି କେଭେଡ଼ିଆ ଠାରେ ପହଞ୍ଚିଛନ୍ତି ମନ୍ତ୍ରୀ।ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ମନ୍ତ୍ରୀ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ। ଏହି କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଖେଲୋ ଇଣ୍ଡିଆ ଯୋଜନାକୁ ଓଡିଶା କିପରି ଭାବେ ଆଗେଇ ନେଇଛି ସେ ସମ୍ପର୍କରେ କର୍ମଶାଳାରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା, କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେସମ୍ପର୍କରେ ନିଜର ମଧ୍ୟ ବକ୍ତବ୍ୟ ପ୍ରଦାନ କରିବେ। ଉନ୍ନତ କ୍ରୀଡା ଭିତ୍ତିଭୂମି ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରୁ ପ୍ରତିଭା ଚୟନ, ଉନ୍ନତ ତାଲିମ, ଖେଳାଳିମାନଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ ଆଦି ବିଭିନ୍ନ ବିଷୟରେ ଓଡ଼ିଶା କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ଉପରେ ନିଜର ମତ ରଖିବେ। ଏହି କର୍ମଶାଳା ଦ୍ୱାରା ବିଭିନ୍ନ ରାଜ୍ୟ ମଧ୍ୟରେ ଭାବ ବିନିମୟ ହେବା ସହିତ ଆଞ୍ଚଳିକ ସ୍ତରରେ କ୍ରୀଡ଼ାକୁ ଅଧିକ ସମୃଦ୍ଧ କରିବାନେଇ ପଥ ଦେଖାଇବ ବୋଲି ଆଶା କରାଯାଉଛି।