ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାରେ ପରିସ୍ଥିତି ଦିନକୁ ଦିନ ଅଣାୟତ ହେବାକୁ ଯାଉଛି । ଏହାରି ଭିତରେ ଶ୍ରୀଲଙ୍କାର ଜନତା ରଜରାସ୍ତାରେ ଜୋରଦାର ବିକ୍ଷୋଭ କରୁଛନ୍ତି । ଶେଷରେ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡ଼ିଛି । ଯଦି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ତାଙ୍କ କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ପ୍ରଦାନ କରନ୍ତି, ତେବେ ସଂସଦ ଏହାର ଜଣେ ସଦସ୍ୟଙ୍କୁ ରାଷ୍ଟ୍ରପତି ଭାବେ ଚୟନ କରିବ । ରାଷ୍ଟ୍ରପତିଙ୍କ ଇସ୍ତଫାର ମାସକ ମଧ୍ୟରେ ନୂଆ ନିଯୁକ୍ତି ଦେବାକୁ ହେବ । ଯଦି ରାଷ୍ଟ୍ରପତି ଇସ୍ତଫା ଦିଅନ୍ତି ତେବେ ଇସ୍ତଫାର ତିନି ଦିନ ମଧ୍ୟରେ ସଂସଦର ବୈଠକ ଡକାଯିବା ଜରୁରୀ ।
ଏହି ବୈଠକରେ ସଂସଦର ସେକ୍ରେଟେରୀ ଜେନେରାଲ ବା ମହାସଚିବ ରାଷ୍ଟ୍ରପତିଙ୍କ ଇସ୍ତଫା ବିଷୟରେ ସଂସଦକୁ ଜଣାଇବେ । ଖାଲି ପଡ଼ିଥିବା ପଦବୀ ପାଇଁ ନାମାଙ୍କନ ପତ୍ର ଗ୍ରହଣ କରିବା ପାଇଁ ତାରିଖ ଧାର୍ୟ୍ୟ କରିବାକୁ ପଡ଼ିବ । ଯଦି ସଂସଦର ଜଣେ ମାତ୍ର ସଦସ୍ୟ ରାଷ୍ଟ୍ରପତି ପଦବୀ ପାଇଁ ମନୋନୀତ ହୁଅନ୍ତି, ତେବେ ସେକ୍ରେଟାରୀ ଜେନେରାଲ୍ ଦେଶର ଏହି ସର୍ବେଚ୍ଚ ପଦବୀ ପାଇଁ ତାଙ୍କ ନାମ ଘୋଷଣା କରିବେ । ଯଦି ଏକାଧିକ ବ୍ୟକ୍ତି ମନୋନୀତ ହୁଅନ୍ତି, ତା’ହେଲେ ସିକ୍ରେଟ ବାଲାଟ ଭୋଟ୍ ହେବ । ଆଉ ଯାହା ସପକ୍ଷରେ ସଂଖ୍ୟାଗରିଷ୍ଠତା ରହିବ ସେହି ବ୍ୟକ୍ତି ନିର୍ବାଚିତ ହେବେ । ତେବେ ଆଗାମୀ ଦିନରେ ଶ୍ରୀଲଙ୍କାର ପରିସ୍ଥିତି କେଉଁ ଦିଗକୁ ଗତି କରୁଛି, ତାହାକୁ ହିଁ ଅପେକ୍ଷା ।