ଓଡ଼ିଆ ନ୍ୟୁଜ୍: ବହୁଚର୍ଚ୍ଚିତ ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ କମିସନରେଟ୍ ପୁଲିସ ଆଉ ପାଦେ ଆଗକୁ ବଢ଼ିଛି। ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଘଟଣାର ୩ ମାସ ମଧ୍ୟରେ ଆଜି କ୍ୟାପିଟାଲ୍ ଥାନା ପୁଲିସ, ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ସମେତ ୩ ଜଣଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ ନିକଟରେ ୭୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ୪୨ ଜଣ ସାକ୍ଷୀଙ୍କ ନାମ ରହିଛି। ସେହିପରି ବ୍ୟବଚ୍ଛେଦ ରିପୋର୍ଟ, ଡିଏନ୍ଏ ରିପୋର୍ଟ, ଭିସେରା ସମେତ ଅନ୍ୟ ସମସ୍ତ ରିପୋର୍ଟ ଦାଖଲ କରାଯାଇଛି। ଯାହାକି ମାମଲାକୁ ଆହୁରି ବଳିଷ୍ଠ କରିଛି।
ସୂଚନା ମୁତାବକ, ଗତ ସେପ୍ଟେମ୍ବର ୬ ତାରିଖରେ ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇ ଶୁଭମିତ୍ରା ହଠାତ୍ ଗାଏବ ହୋଇଯାଇଥିଲେ। ତା’ପରଠୁ ତାଙ୍କର ମୋବାଇଲ୍ ସୁଇଚ୍ଅଫ୍ ହୋଇଯାଇଥିଲା। ଦୁଇଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା କ୍ୟାପିଟାଲ୍ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳ ଦୀପକଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ଭୁବନେଶ୍ୱରରେ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ କେଉଁଝରକୁ ନେଇ ପୋତିଥିବା କହିଥିଲା।