ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଉପକୂଳରୁ ଶନିବାର ଦିନ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ସମୁଦ୍ର ଭିତରୁ ଏଣ୍ଡୋ-ବାୟୁମଣ୍ଡଳୀୟ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ, ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା ଶତ୍ରୁର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିପଦକୁ ଆକାଶରେ ହିଁ ନଷ୍ଟ କରିଦେବା । ଏହି ସଫଳ ପରୀକ୍ଷଣ ପରେ ଭାରତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା (ବିଏମଡି) କ୍ଷମତା ଥିବା ଦେଶମାନଙ୍କର ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛି । ଏହା ପୂର୍ବରୁ ଡିଆରଡିଓ ପ୍ରତିକୂଳ ପରିସ୍ଥିତିରୁ ଉପୁଜିଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର ବିପଦକୁ ନିଷ୍କ୍ରିୟ କରିବାର କ୍ଷମତା ଥିବା ଏକ ଭୂମି ଭିତ୍ତିକ ବିଏମଡି ସିଷ୍ଟମକୁ ସଫଳତାର ସହ ପ୍ରଦର୍ଶନ କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆରଡିଓ ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଡିଆରଡିଓ ମୁଖ୍ୟ ସମୀର ଭି. କାମତ ମଧ୍ୟ ଏହି କ୍ଷେପଣାସ୍ତ୍ରର ଡିଜାଇନ୍ ଏବଂ ବିକାଶରେ ନିୟୋଜିତ ଟିମ୍କୁ ପ୍ରଶଂସା କରି କହିଛନ୍ତି ଯେ ଦେଶ ଅତ୍ୟନ୍ତ ଜଟିଳ ନେଟୱାର୍କ-ଭିତ୍ତିକ ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରିବାରେ ଆତ୍ମନିର୍ଭରଶୀଳତା ହାସଲ କରିଛି । ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଇସ୍ରାଏଲ ଓ ଚାଇନା ସମେତ ଅଳ୍ପ କେତୋଟି ଦେଶ ବିଏମଡି ଟେକନଲୋଜୀ ହାସଲ କରିଛନ୍ତି ଓ ସେଠାରେ ବିଏମଡି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି । ଏହି ଦେଶଗୁଡ଼ିକରେ ପ୍ରାରମ୍ଭିକ ଚେତାବନୀ ଏବଂ ଟ୍ରାକିଂ ସେନ୍ସର, ବିଶ୍ୱସନୀୟ କମାଣ୍ଡ ଏବଂ ନିୟନ୍ତ୍ରଣ ପୋଷ୍ଟ ଏବଂ ଉନ୍ନତ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସ୍ଥଳ ଏବଂ ସମୁଦ୍ର ବ୍ୟାଟେରୀ ର ନେଟୱାର୍କ ରହିଛି ।
ଏପଟେ ଆଜି ମହାକାଶକୁ ଯାଇଛି ଇସ୍ରୋର ‘ପିଏସଏଲଭି-ସି ୫୫’ ରକେଟ୍ । ବିଶ୍ୱ ଦେଖିଲା ଇସ୍ରୋର କମାଲ । ସିଙ୍ଗାପୁରର ଦୁଇଟି ଉପଗ୍ରହକୁ ନେଇ ଇସ୍ରୋର ‘ପିଏସଏଲଭି-ସି ୫୫’ ଶନିବାର ଉଡାଣ ଭରିଛି । ସମାଚାର ଏଜେନ୍ସି ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଶନିବାର ଦ୍ୱିପହର ୨ଟା ୧୯ ମିନିଟ ସମୟରେ ଏହି ରକେଟ୍ ଲଞ୍ଚ ହୋଇଥିଲା । ତେବେ ଏହି ରକେଟରେ ସିଙ୍ଗାପୁରର ଦୁଇଟି ବଡ ସାଟେଲାଇଟ୍ ଓ ଗୋଟିଏ ଇନ ହାଉସ୍ ପ୍ଲାଟଫର୍ମ ରହିଛି । ଜାଣିରଖିବା ଉଚିତ୍ ଯେ, ପିଏସଏଲଭି-ସି୫୫ ମିଶନ୍ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧବନ ମହାକାଶ ଲଞ୍ଚ ହୋଇଥିଲା । ଏହା ହେଉଛି ପିଏସଏଲଭିର ୫୭ ନମ୍ବର ଉଡାଣ । ତେବେ ଏହି ମିଶନକୁ ଟିଏଲଇଓଏସ୍-୨ ନାମ ଦିଆଯାଇଥିବାବେଳେ, ଇସ୍ରୋ ଏନେଇ ସମସ୍ତ ତଥ୍ୟ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି । ଇସ୍ରୋ ତରଫରୁ ମିଳିଥିବା ସୂଚନା ମୁତାବକ, ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିବା ଏହି ରକେଟରେ ଇସ୍ରୋର ଦୁଇଟି ସାଟେଲାଇଟ୍ ରହିଥିଲା । ଏହାର ଓଜନ ପାଖାପାଖି ୭୪୧ କିଲୋ ଅଟେ । ସେହିପରି ୧୬ କେଜି ଓଜନ ବିଶିଷ୍ଟ ଲୁମିସାଇଟ୍ -୪ ସାଟେଲାଇଟ୍ ମଧ୍ୟ ଏଥିରେ ରହିଛି ।