ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବେଲୁଚିସ୍ତାନର ମସଜିଦ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ। ଏହି ବିସ୍ଫୋରଣରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ କିଛି ପୋଲିସ କର୍ମଚାରୀ ରହିଛନ୍ତି। ଏହି ବିସ୍ଫୋରଣରେ ନିହତ ଲୋକମାନଙ୍କ ମଧ୍ୟରେ ଜଣେ ପୋଲିସ ଡିଏସ୍ପି ଅଛନ୍ତି। ବେଲୁଚିସ୍ତାନର ମସ୍ତୁଙ୍ଗ୍ ଜିଲ୍ଲାରେ ମହାପୁରୁଷ ପ୍ରପେଟ ମହମ୍ମଦଙ୍କ ଜୟନ୍ତୀ ପାଳନ ନିମନ୍ତେ ଜନସମାଗମ ହୋଇଥିବା ବେଳେ ଏକ ମସ୍ଜିଦ୍ ନିକଟରେ ଏହି ପ୍ରଚଣ୍ଡ ବିସ୍ଫୋରଣ ଘଟିଛି।
ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ ମାସ୍ତୁଙ୍ଗ ଜିଲ୍ଲାର ଅଲ- ଫଲାହ ମସଜିଦ ନିକଟରେ ଆଜି ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରା ବାହାରୁଥିବା ବେଳେ ଉକ୍ତ ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିବା ବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଲା। ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରିଛନ୍ତି। ଏକସଙ୍ଗେ ବହୁ ରୋଗୀଙ୍କୁ ଭର୍ତ୍ତି କରାଯାଉଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା ମଧ୍ୟ କମ୍ ପଡ଼ି ଯାଉଛି। ଫଳରେ ଆଖପାଖ ହସ୍ପିଟାଲରେ ଆପାତ୍ତକାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ସମସ୍ତ ଷ୍ଟାଫଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନର ଅନ୍ତରୀଣ ଗୃହମନ୍ତ୍ରୀ ସରଫରାଜ ଅହମ୍ମଦ ବୁଗାତି ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ଏବଂ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି। ବୁଗାତି କହିଛନ୍ତି, ଆତଙ୍କବାଦୀଙ୍କ କୌଣସି ଧର୍ମ କିମ୍ବା ବିଶ୍ୱାସ ନାହିଁ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।