ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୌରାଂଚଳର ବେଞ୍ଜାତିନାଳୀ ସାହିର କୁଳମଣି ସୁନେଲଙ୍କ ପୁଅ ଅଷ୍ଟମ ଶ୍ରେଣୀର ଛାତ୍ର ମିକୁର ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ମୃତ ଛାତ୍ରର ବାପା କୁଳମଣି ଚେନ୍ନାଇରେ କାମ କରୁଥିବା ବେଳେ ସେ ସୂଚନା ପାଇ ଆଜି ଦେବଗଡ ପଂହଚିଥିଲେ। ତାଙ୍କ ପୁଅର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖି ତାଙ୍କୁ ହତ୍ୟା କରାଯାଇଥିବା ନେଇ କୁଳମଣି ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |
ଘଟଣାସ୍ଥଳରେ ଆଜି ସାଇଣ୍ଟିଫିକ ଟିମ ପଂହଚି ଘଟଣାର ତଦନ୍ତ କରିଥିଲା। ସୂଚନା ଅନୁଯାୟୀ, ଗତକାଲି ମିକୁ ଏବଂ ତାଙ୍କ ସାନ ଭଉଣୀ ଓଜେସ୍ବିନୀ ବିଦ୍ୟାଳୟ ଯିବାକୁ ବାହାରିଥିଲେ।ମାତ୍ର ଦୁଇ ଜଣ ଭିନ୍ନ ଭିନ୍ନ ବିଦ୍ୟାଳୟରେ ପଢୁଥିବାରୁ ତାଙ୍କ ମା ଲିଲି ପ୍ରଥମେ ମିକୁଙ୍କ ଭଉଣୀକୁ ବିଦ୍ୟାଳୟକୁ ଛାଡିବାକୁ ଆସିଥିଲେ।ମାତ୍ର ତାଙ୍କ ମା ଘରକୁ ଆସି ମିକୁ ଚଟାଣରେ ଅଚେତ ହୋଇପଡିଥିବା ଦେଖିବାକୁ ପାଇଥିଲେ।
ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଦେବଗଡ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହିତ ଆଜି ମୃତ ଛାତ୍ରଙ୍କ ବାପା କୁଳମଣି ଦେବଗଡରେ ପଂହଚିବା ପରେ ଶବ ବ୍ୟବଛେଦ ପରେ ପରିବାର ଲୋକକୁ ମୃତଦେହ ହସ୍ତାନ୍ତର କରାଯାଇଛି।