ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଘରୋଇ ଭାରତ ବିପକ୍ଷରେ ୫ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଦକ୍ଷିଣ ଆଫ୍ରିକା । ଏଥିପାଇଁ ଗୁରୁବାର ଦକ୍ଷିଣ ଆଫ୍ରିକା ଦଳ ଦିଲ୍ଲୀରେ ପହଞ୍ଚିସାରିଛି। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ କଡ଼ା ସୁରକ୍ଷାରେ ଟିମ୍ ହୋଟେଲକୁ ଅଣାଯାଇଥିଲା । ତେବେ ଦଳ ଆଜି ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇଛି ।
ଆସନ୍ତା ଜୁନ ୯ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ୧୨ ତାରିଖ କଟକରେ ଦ୍ୱିତୀୟ, ୧୪ ତାରିଖ ବିଶାଖପାଟଣାରେ ତୃତୀୟ, ୧୭ ତାରିଖ ରାଜକୋଟରେ ଚତୁର୍ଥ ଏବଂ ୧୯ ତାରିଖ ବେଙ୍ଗାଲୁରୁରେ ଅନ୍ତିମ ମ୍ୟାଚ୍ ଖେଳାଯିବ । କରୋନା ସଂକ୍ରମଣର ହାର୍ କମି ଯାଇଥିବାରୁ ବିସିସିଆଇ ବିନା ଜୈବ ସୁରକ୍ଷା ବଳୟରେ ସିରିଜ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ତଥାପି ଉଭୟ ଦଳ ଖେଳାଳିଙ୍କୁ ନିୟମିତ ଆର୍ଟି-ପିସିଆର୍ ପରୀକ୍ଷା କରିବାକୁ ପଡ଼ିବ ।