ତେଜସ ରେକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସ ଯାତ୍ରୀ ସୁବିଧାକୁ ତ୍ୱରାନ୍ୱିତ କରାଇବ:ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୋଦି ସରକାରରେ ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ, ଯାତ୍ରୀ ସୁବିଧା ସହ ଆନୁଷଙ୍ଗିକ କାର୍ଯ୍ୟ ଅପେକ୍ଷା ଠାରୁ ଅଧିକ ହୋଇଛି ବୋଲି ସୋମବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଅତ୍ୟାଧୁନିକ ତେଜସ୍ ରେକ୍ ଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ମୋଦି ସରକାରରେ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଭୁବନେଶ୍ୱର ରେଳ ଷ୍ଟେସନର ନବେକଳେବର ହେଉଛି । ଓଡ଼ିଶାର କଟକ, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ରେଳ ଷ୍ଟେସନର ନବୀକରଣ କାମ ହେଉଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ କରମକମଳରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ ମୋଟ ୫୭ଟି ଷ୍ଟେସନର ନବୀକରଣ ପାଇଁ ଯୋଜନା କରାଯାଇଛି । ସବୁ ରେଳ ଲାଇନର ବିଦ୍ୟୁତକରଣ ହୋଇଛି । ରେଳବାଇ ବିଭାଗରେ ସ୍ୱଚ୍ଛତା ବଢିଛି । ମୋଦିଜୀଙ୍କ ‘ବିକଶିତ ଭାରତ’ରେ ଯାତ୍ରୀ ସୁବିଧା ମହତ୍ତ୍ୱପୂର୍ଣ୍ଣ ହୋଇଛି । ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ ଚଳାଚଳ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଦିଲ୍ଲୀକୁ ଯାଇ ଲଢେଇ କରିବାକୁ ପଡୁଥିଲା । ମାତ୍ର ଆଜି ମୋଦି ସରକାରରେ ତାହା ସହଜ ହୋଇଛି ।
ପ୍ରଧାନମନ୍ତ୍ରୀ ଆଗାମୀ ୨୫ ବର୍ଷରେ ବିକଶିତ ଭାରତ କରିବା ଆହ୍ୱାନ କରିଛନ୍ତି । ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି ତାହା ବିକଶିତ ଭାରତରେ ଆଗକୁ ଯିବାର ଅନ୍ୟତମ ପଦକ୍ଷେପ । ଏହି ତେଜସ୍ ରେକ୍ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୨୦୦ କିମି ବେଗରେ ଚାଲିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି ।
ଏହାବ୍ୟତିତ ଶ୍ରୀ ପ୍ରଧାନ କହିଛନ୍ତି ଯେ ମେଟ୍ରୋ ଭାରତ ସରକାରଙ୍କ ଅର୍ବାନ ଡେଭଲପମେଣ୍ଟ ଓ ସମ୍ବନ୍ଧିତ ରାଜ୍ୟ ସରକାର ମିଶି କରୁଛନ୍ତି । ଓଡ଼ିଶାରେ ବନ୍ଦେ ମେଟ୍ରୋ ଚାଲିବା ପାଇଁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଶ୍ୱସ୍ତ କରିଛନ୍ତି । ତେବେ ମେଟ୍ରୋ ଓଡ଼ିଶାକୁ ଆସୁ, କିନ୍ତୁ ଆସିବା ପାଇଁ ସଠିକ୍ ପ୍ରୟାସ ହେଉ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।