ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍):ଆଉ ଶୁଭିବନି ‘ହମ ରହେଁ ୟା ନା ରହେଁ କଲ’ ଗୀତର ଅରିଜିନାଲ ଅଏସ୍ । ନବେ ଦଶକର ଚର୍ଚ୍ଚିତ ଏହି ବଲିଉଡ ଗାୟକଙ୍କ ଗୀତରେ ଆଉ ଦୁଲୁକିବନି ମଞ୍ଚ କି ଝୁମିବେନି ଦର୍ଶକ । ହଁ ଆଜ୍ଞା ୟାରୋଁ ଗୀତ ଗାଇ କୋଟି କୋଟି ହୃଦୟକୁ ଜିଣିଥିବା କେକେ ଓରଫ କୃଷ୍ଣ କୁମାର କୁନ୍ନଥ ଆଉ ଯାହାନ୍ତି । ଗତକାଲି କୋଲକତାରେ ଲାଇଭ୍ କନସର୍ଟ ବେଳେ ହଠାତ୍ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସଙ୍ଗୀତ ଜଗକୁ ଶୋକ ସାଗରରେ ବୁଡ଼ାଇଦେଇଛି। ଏହି ଲାଇଭ୍ କନସର୍ଟକୁ ନେଇ ଖୁବ୍ ଉତ୍ସାହିତ ଥିଲେ କେକେ। ଏନେଇ ସେ ତାଙ୍କର ଇନଷ୍ଟାଗ୍ରାମ୍ ପୋଷ୍ଟରେ ମଧ୍ୟ ସୂଚନା ଦେଇଥିଲେ। ହେଲେ କିଏ ଜାଣିଥିଲା ଏମିତି ହେବ, ସବୁବେଳେ ସଂଗୀତରେ ଜୀଇଁଥିବା ମଣିଷର ଶେଷରେ ସଂଗୀତ ପରବେଷଣ ବେଳେ ଜୀବନ ଯିବ । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ମୃତ୍ୟୁ ପୂର୍ବରୁ ମଞ୍ଚ ଉପରେ କେକେଙ୍କର ଶେଷ ଗୀତ ଥିଲା ହମ ରହେଁ ୟା ନରହେଁ କଲଟ୍ଟ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କେକେଙ୍କ ଏହି ଶେଷ ଭିଡିଓ ସମସ୍ତଙ୍କୁ ଭାବୁକ କରିଦେଇଛି।

ଲବୋଁ କୋ, ଲୁଟ ଗୟେ, ସଚ କହ ରହା ଦିୱାନା ଏବଂ ମେରା ପହଲା ପ୍ୟାର ଭଳି ବହୁ ସୁପରହିଟ୍ ଗୀତ ଦେଇଥିବା କେକେ ଏବେ କେବଳ ଦେଶବାସୀଙ୍କ ସ୍ମୃତିରେ ରହିଗଲେ । ହିନ୍ଦୀ ସମେତ ତେଲଗୁ, କନ୍ନଡ, ତାମିଲ, ବେଙ୍ଗଲି, ଗୁଜୁରାଟୀ, ମରାଠୀ, ଅହମିୟ ଆଦି ବିଭିନ୍ନ ଭାଷାରେ ସୁମଧୂର ଗୀତଗାଇ ନିଜର ଛାପ ଛାଡ଼ିଯାଇଛନ୍ତି କେକେ । ତାଙ୍କର ସୁମଧୁର ସ୍ଵର ପାଇଁ ସେ ଦେଶବାସୀଙ୍କ ହୃଦୟରେ ସର୍ବଦା ରାଜ୍ କରିବେ। ତେବେ ସେଇ ମହାନ୍ ଆତ୍ମାଙ୍କୁ ଓଡ଼ିଆ ନ୍ୟୁଜର ଶତଶତ ନମନ୍ ।