ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ହଠାତ୍‌ ୫ ଦିନିଆ ସଂସଦର ବିଶେଷ ଅଧିବେଶନ ଡାକିଲେ କେନ୍ଦ୍ର ସରକାର । ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ। ଏହା ପଛର କାରଣ ଜଣାପଡ଼ିନାହିଁ। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଶେଷ ଅଧିବେଶନ ବସିବାକୁ ଯାଉଥିବା ଟ୍ୱିଟରରେ(ଏବେ ଏକ୍ସ) ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ଯାଏ ଡକା ଯାଉଛି। ଏଥିରେ ୫ଟି କାର୍ୟ୍ୟ ଦିବସ ରହିବ। ଅମୃତ କାଳରେ ବସିବାକୁ ଯାଉଥିବା ଅଧିବେଶନରେ ଗଠନ ମୂଳକ ଆଲୋଚନା ଓ ବିତର୍କ ହେବେ ବୋଲି ଆଶା।ଦ୍ଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫ ଦିନିଆ ଅଧିବେଶନର ଏଜେଣ୍ଡା ସରକାର ସାର୍ବଜନୀନ କରି ନାହାନ୍ତି।

ସେହିପରି ଅଧିବେଶନ ସଂସଦର ନୂଆ ବିଲଡିଂରେ ବସିବ କି ପୁରୁଣା ବିଲଡିଂରେ ବସିବ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି। ଲୋକସଭା ଓ ରାଜ୍ୟସଭାର ଯୁଗ୍ମ ଅଧିବେଶନ ମଧ୍ୟ ବସିବାର କାର୍ୟ୍ୟକ୍ରମ ନାହିଁ। ୫ ଦିନିଆ ଅଧିବେଶନରେ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାର ସମ୍ଭବନା ନଥିବା ଗୋଟିଏ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେହିପରି ଆଉ ଗୋଟିଏ ଗଣମାଧ୍ୟମରେ ଦାବି କରାଯାଇଛି ଯେ ସରକାର ସମ୍ଭବତଃ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବାକୁ ଏପରି ଅଧିବେଶନ ଡାକିଛନ୍ତି।

କାରଣ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନ ଶୁଣାଣି କରିବା ବେଳେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମାନ୍ୟତା କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ଏଥିପାଇଁ ସମୟ ଲାଗିବ ବୋଲି କହିଛନ୍ତି। ତଥାପି ବିଲ୍‌ ମାଧ୍ୟମରେ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କୁହାଯାଉଛି।

Leave A Reply

Your email address will not be published.