ଓଡ଼ିଶା ନ୍ୟୁଜ୍(ବ୍ୟୁରୋ): ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁରୁଣା ରଥଯାତ୍ରା। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥକୁ ଭକ୍ତମାନେ ଉତ୍ସାହର ସହିତ ଟାଣିଟାଣି ନେଇ ଆଜି ସନ୍ଧ୍ୟା ୬ଟା ୨୦ରେ ବଢେଇବାଙ୍କ ଠାରେ ପହଞ୍ଚାଇଛନ୍ତି। ଏଠାରୁ ପୁଣି ଆସନ୍ତାକାଲି ଅପରାହ୍ଣ ୨ଟାରେ ମାଉସୀ ମା’ ଅଭିମୁଖେ ଟଣାଯିବ। ମନ୍ଦିରର ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାରଣରୁ ସାଢ଼େ ୩ଟାରେ ପହଣ୍ଡି ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୩ରେ ରଥଟଣା ଯାଇଥିଲା। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଥିଲେ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଛି। ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳାକୁ ଏଥିଲାଗି ସେ ଦାୟୀ କରିଥିଲେ। ଏଣେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରାଇବା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଦୁଇଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୧୨ଜଣ ଡିଏସ୍ପି ରୢାଙ୍କର ଅଧିକାରୀ ଓ ୮୦ଜଣ ଅଫିସର୍ଙ୍କୁ ଦାୟିତ୍ବ ଦିଆଯାଇଛି। ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ପୁଲିସ ମୁତୟନ ରହିଛନ୍ତି।
ସୂଚନାଯୋଗ୍ୟ, ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ଦିନ ଗୋଟିଏ ରଥରେ ରାମେଶ୍ୱର ମନ୍ଦିରକୁ ନିଆଯାଇ ପାଞ୍ଚଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଯିବା ବାଟରେ ଅନେକ ପୂଜାର୍ଚ୍ଚନା ପୂର୍ବକ ଅଧରପଣାର ଲାଗି କରାଯାଇଥାଏ । ଏହାକୁ ଦେଖିବା ଲାଗି ଭକ୍ତଙ୍କର ଗହଳି ଲାଗିରହିଥାଏ । ବିଶ୍ୱାସ ରହିଛି ଲିଙ୍ଗରାଜଙ୍କ ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରଥକୁ ଟଣାଯାଏ । ରାମଚନ୍ଦ୍ରଙ୍କ କଥାକୁ ରଖି ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର (ମାଉସୀ ମା’ ମନ୍ଦିର ) ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ଓରା, ୧୬ନାହାକା, ୫ଦଣ୍ଡା ବିଶିଷ୍ଟ ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡ଼ା ଜଚାଯିବା ପରେ ଏହା ପଛକୁ ପଛ ଫେରିଥାଏ ।
ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ । ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ । ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ । ଏଥିପାଇଁ ଢଗ ଅଛି ଯେ ‘ରୁକୁଣା ରଥ ଅଣଲେଉଟା/ ଆଉ ନ ଫେରେ’ । ରୁକୁଣା ରଥର ସାରଥୀଙ୍କୁ କୁହାଯାଏ ‘ବ୍ରହ୍ମା’ । ଅଶୋକାଷ୍ଟମୀ ଦିନ, ୮ଟି ଅଶୋକା କଢ଼ି ପକାଇ, ସେହି ଜଳ ପାନକଲେ, ଦୁଃଖଶୋକ ଲାଘବ ହେବାର ମାନ୍ୟତା ରହିଛି । ସନ୍ତାନ ହେଉନଥିବା ବା ସନ୍ତାନ ହୋଇ ମରିଯାଉଥିବା ମହିଳାମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି, ଅଶୋକାଷ୍ଟମୀ ଦିନ ମରିଚି କୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହେବାର ମଧ୍ୟ ମାନ୍ୟତା ରହିଛି । ଏଥି ଯୋଗୁଁ ମରିଚି କୁଣ୍ଡର ପ୍ରଥମ ଗରା ଜଳ ଖୁବ ଉଚ୍ଚଦରରେ ନିଲାମ ମଧ୍ୟ ହୋଇଥାଏ । ଦୋଳପୂର୍ଣ୍ଣମୀର ଦୁଇଦିନ ପରଠାରୁ ରଥ ପାଇଁ କାମ ଆରମ୍ଭ ହୋଇ ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀ ଅଧରାତି ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥାଏ । ଏଥିପାଇଁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମହାରଣାମାନେ କାର୍ଯ୍ୟ କରିଥାନ୍ତି । ରଥଖଳାରେ ରଥର ସମସ୍ତ କାର୍ଯ୍ୟକୁ କରିଥାନ୍ତି ।
ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ । ଏହାପରେ ରଥ ଉପରେ ଚକ ପୂଜା, ଅଖ ପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ପ୍ରଭୃତି ପ୍ରାୟ ୧୨ପ୍ରକାରର ପୂଜା କରାଯାଇଥାଏ।