ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ରାଜନୈତିକ ସଂକଟରୁ ମୁକୁଳି ନପାରି ବଡ଼ ବିପର୍ଯ୍ୟୟୟର ସାମ୍ନା କରୁଥିବା କଂଗ୍ରେସ ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛି । ଏହି ଆର୍ଥିକ ସମସ୍ୟା ଦୂର କରିବା ପାଇଁ କଂଗ୍ରେସ ବାମ ଦଳର କେରଳ ମଡେଲକୁ ଆପଣାଇବାକୁ ଯାଉଛି। ଉକ୍ତ ମଡେଲ ଆଧାରରେ ବାମ ଦଳ ଡୋର୍ ଟୁ ଡୋର୍ ଅଭିଯାନ ଚଳାଇଥାଏ । ଏଥିରୁ ଦଳ ଅର୍ଥ ଏକଜୁଟ କରିଥାଏ । ଏହାସହ ଦାନକର୍ତ୍ତାଙ୍କୁ ଏହା ବଦଳରେ ସ୍ଲିପ୍ ମଧ୍ୟ ଦିଆଯାଇଥାଏ । ରିପୋର୍ଟ ଅନୁସାରେ ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ସିପିଆଇ(ଏମ୍)ର ମଡେଲକୁ ନେଇ ଚର୍ଚ୍ଚା କରାଯାଇଥିଲା । କେରଳ କଂଗ୍ରେସର ପୂର୍ବତନ ମୁଖ୍ୟ ରମେଶ ଚେନ୍ନିଥଲା ଏହି ମଡେଲକୁ ଅପଣାଇବାକୁ ପ୍ରସ୍ତାବ ଦେଇଥିଲେ ।
ସୂଚନା ମୁତାବକ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ କରିବାକୁ ନେଇ ସଭାରରେ ଆଲୋଚନା ହୋଇଛି। ଇସିଆଇରେ ଦାଖଲ କରାଯାଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ ମସିହାରେ କଂଗ୍ରେସର ଆୟ ୨୮୫.୭ କୋଟି ଟଙ୍କା ଥିଲା । ଏହା ପୂର୍ବର ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬୮୨.୨ କୋଟି ଟଙ୍କା ଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ଦଳର ଆୟ ୯୧୮ କୋଟି ଟଙ୍କା ଥିଲା । ରିପୋର୍ଟ ଅନୁସାରେ, ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ ଦଳରେ ଆର୍ଥିକ ସଙ୍କଟ ଦେଖାଦେଇଛି ।