ସାଢେ ୩ରୁ ୪ଟା ମଧ୍ୟରେ ଧ୍ୱଜା ବନ୍ଧା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କାର୍ତ୍ତିକ ଭିଡ ଯୋଗୁଁ ବଦଳିଲା ଶ୍ରୀମନ୍ଦିର ଧ୍ୱଜାବନ୍ଧା ନୀତି ସମୟ।  ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ଧ୍ବଜା ବନ୍ଧା ନୀତି ସମ୍ପନ୍ନ ହେବ।  ମୁଖ୍ୟ ପ୍ରଶାସକ ଏହି ନିର୍ଦେଶ ଦେବା ପରେ ଚୁନରା ସେବକ ମାନଙ୍କୁ ଏ ନେଇ ଅବଗତ କରାଯାଇଛି। ଆଜିଠାରୁ ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ପତିତପାବନ ବାନା ବନ୍ଧା ହେବ।

ଚୁନରା ସେବକମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଜଣେ ଚୁନରା ସେବାୟତ କହିଛନ୍ତି,  ସନ୍ଧ୍ୟା ୫ଟା ବେଳେ ଧ୍ୱଜା ବନ୍ଧା ହେଉଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ୩ଟାରୁ ୪ଟା ମଧ୍ୟରେ ଶ୍ରୀମନ୍ଦିରରେ ବାନା ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଗହଳି ହେଉଛି। ଧ୍ୱଜା ବନ୍ଧା ସମୟରେ ଅତ୍ୟଧିକ ଗହଳି ମଧ୍ୟ ହେଉଛି। ଗହଳି ଅଧିକ ହେବା ଯୋଗୁ ଦଳା ଚକଟା ପରି ପରିସ୍ଥିତ ଉପୁଜିଥାଏ। ଯଦି ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରୁ ବାନା ଗୁଡ଼ିକ ଆମ ପାଖରେ ୩ଟା ସମୟରେ ଆସି ପହଞ୍ଚିବ, ତାହାହେଲେ ସାଢ଼େ ୩ ଟା ସମୟରେ ଆମେ ବଡ଼ ଦେଉଳ ଉପରେ ଚଢ଼ିବୁ। ୪ଟା ସୁଦ୍ଧା ଧ୍ୱଜା ବନ୍ଧା  କାର୍ଯ୍ୟ ସମାପନ ହେବ।

Comments are closed.