ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍) : ଭ୍ୟାକସିନ୍ ବାହାରିବା ସତ୍ତ୍ୱେ ବି ବିଶ୍ୱରେ ଏଯାଏଁ ହୋଇପାରିନି କରୋନା ମହାମାରୀର ମୁଳୋତ୍ପାଟନ । ବରଂ ଦିନକୁ ଦିନ କାହା ବିସ୍ତାର କରିବାରେ ଲାଗିଛି । ଦେଶରେ କରୋନା ମାହାମାରୀର ଚତୁର୍ଥ ଲହର ଆସିସାରିଥିବା ମଧ୍ୟ କୁହାଯାଉଛି । ଏହାରି ମଧ୍ୟରେ ଓଡ଼ିଶାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏବେ ବି ଓଡ଼ିଶାରେ ୩୦ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ । ଏଥିରେ ୧୮ବର୍ଷରୁ ଅଧିକ ୨୧ଲକ୍ଷ ଥିବା ବେଳେ ୧୨-୧୪ ଓ ୧୫-୧୭ବର୍ଷର ୯ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ନେଇନାହାନ୍ତି। କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଏତେ ସଂଖ୍ୟକ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନ ନେବା ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି। ଚଳିତମାସରୁ କେନ୍ଦ୍ର ସରକାର ଆସନ୍ତା ୨ମାସ ପାଇଁ ହର ଘର ଦସ୍ତକ୍ ୨.୦ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଟିକା ନେବା ପାଇଁ ବୁଝାଉଛନ୍ତି। କୌଣସି ଲୋକ ଯେପରି ଟିକାକରଣରୁ ବାଦ୍ ନ ପଡ଼ନ୍ତି ତାହାକୁ ରାଜ୍ୟରେ ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ବର୍ତମାନସୁଦ୍ଧା ୬କୋଟି ୭୬ଲକ୍ଷ ୧୯ହଜାର ୧୭୦ ଡୋଜ୍ ଟିକା ଦିଆଗଲାଣି।
ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ୧୨ବର୍ଷରୁ ଅଧିକ ଲୋକଙ୍କ ଭିତରେ ୩୦ଲକ୍ଷ ନିଜର ଦ୍ବିତୀୟ ଡୋଜ୍ ନେଇ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହର ଘର ଦସ୍ତକ୍ ୨.୦ ଅଭିଯାନ ଜାରି ରହିଛି। ପୂର୍ବରୁ ଯେଉଁଭଳି ଭାବେ ଘରକୁ ଘର ବୁଲି ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିଲା ତାହା କରାଯାଉଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।