ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାନହାନୀ ମାମଲାରେ ରାହୁଲଙ୍କ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ଗୁଜୁରାଜ ହାଇକୋର୍ଟ । ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି କଲେ ଗୁଜରାଟ ହାଇକୋର୍ଟ । ବରିଷ୍ଠ ଓକିଲ ଅଭିଷେକ ମନୁସିଂଘବୀ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରିଥିଲେ । ରାହୁଲ ଗାନ୍ଧୀଙ୍କ କହିବା କଥା ମୁଁ କୌଣସି ହତ୍ୟା କରିନାହିଁ । ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିନପାରିବା ଦଣ୍ଡାଦେଶ ଅଧିକ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଶୁଣାଣି ବେଳେ ଅଭିଯୋଗକାରୀ ପୂର୍ଣ୍ଣେସ ମୋଦିଙ୍କୁ ମାମଲାର ରେକର୍ଡ ଉପସ୍ଥାପନ କରିବାକୁ କହିଥିଲେ । ଯାହାର ଶୁଣାଣି ମେ ୨ ତାରିଖରେ ହେବ । ୫ ତାରିଖ ଭିତରେ କୋର୍ଟ ରାୟ ଦେଇପାରନ୍ତି ବୋଲି କହିଛନ୍ତି । ଶୁଣାଣି ବେଳେ ବିଚାରପତି ମାମଲାର ଗାମ୍ଭୀର୍ଯ୍ୟତା ଦେଖନ୍ତୁ ବୋଲି ଓକିଲ ଯୁକ୍ତି ରଖିଥିଲେ । ମାମଲାରେ ଅଭିଯୋଗକାରୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ୬ଟି ପୃଷ୍ଠଭୂମି ଉପସ୍ଥାପନା କରାଯାଇଥିଲା । ଯାହାଦ୍ବାରା ଦଣ୍ଡାଦେଶ ଉପରେ ରୋକ ଲଗାଯାଇପାରିବ । ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆକୁ ନେଇ ଭାଷଣ ଦେବା ବେଳେ ଅଭିଯୋଗକାରୀଙ୍କ ନାଁ ନେଇନାହାନ୍ତି । ନାଁ ନେଇଥିବା ବ୍ୟକ୍ତି ମାନେ ମଧ୍ୟ ମାମଲା ରୁଜୁ କରିନଥିଲେ । ତେଣୁ ଅଭିଯୋଗକାରୀଙ୍କ ଅଭିଯୋଗକୁ ବିଶେଷ ଗୁରୁତ୍ବ ଦେବା କଥା ନୁହେଁ ବୋଲି ଅଭିଷେକ ମନୁସିଂଘବି କହିଛନ୍ତି ।
କହିରଖେ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା(୧୨, ତୁଗଲକ୍ ଲେନ୍) ଛାଡିଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ବଙ୍ଗଳାରେ ଥିବା ତାଙ୍କ ଆସବାବପତ୍ର ଓ ଅନ୍ୟ ସାମଗ୍ରୀକୁ ଏକ ଟ୍ରକରେ ସୋନିଆ ଗାନ୍ଧିଙ୍କ ବାସଭବନ (୧୦ ଜନପଥ)କୁ ସ୍ଥାନାନ୍ତର କରାଯାଇଛି । ଆଉ ରାହୁଲ ନିଜ ମା’ଙ୍କ ପାଖକୁ ଚାଲିଯାଇଛନ୍ତି । ସେହିପରି ସରକାରୀ ବଙ୍ଗଳା ଖାଲି କରିବା ପରେ ଏହାର ଚାବି ସେ ଲୋକସଭା ସଚିବାଳୟର ଅଧିକାରୀଙ୍କୁ ହସ୍ତାନ୍ତର ମଧ୍ୟ କରିଛନ୍ତି । ଉଲ୍ଲେଖ ଥାଉ କି ଏପ୍ରିଲ୍ ୧୪ରେ, ରାହୁଲ ଗାନ୍ଧୀ ତାଙ୍କ କାର୍ଯ୍ୟାଳୟ ଏବଂ କିଛି ବ୍ୟକ୍ତିଗତ ଜିନିଷକୁ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତର କରିଥିଲେ। ଆଉ ଆଜି ବଳକା ଜିନିଷକୁ ସ୍ଥାନାନ୍ତର କରିଛନ୍ତି । ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ବଙ୍ଗଳାରେ ରହୁଥିଲେ । ମାର୍ଚ୍ଚ ୨୩ରେ ସୁରତର ଏକ ଅଦାଲତ ମୋଦୀ ସାଙ୍ଗିଆ ନେଇ ନକାରାତ୍ମକ ଟିପ୍ପଣୀ ସଂକ୍ରାନ୍ତୀୟ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହାର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା । କିନ୍ତୁ ଏହାର ପରଦିନ ତାଙ୍କର ସଂସଦ ସଦସ୍ୟପଦ ରଦ୍ଦ କରାଯାଇଥିଲା । ସେ କେରଳର ୱାୟାନାଡରୁ ଲୋକସଭା ସଦସ୍ୟ ଥିଲେ। ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମାର୍ଚ୍ଚ ୨୭ତାରିଖରେ ଏପ୍ରିଲ ୨୨ ସୁଦ୍ଧା ତାଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା ।